ପୁରୀରେ ପର୍ଯ୍ୟଟକ ଦମ୍ପତିଙ୍କୁ ମାଡ଼

ପୁରୀ ଅଫିସ,୨।୨: ପଶ୍ଚିମବଙ୍ଗରୁ ପୁରୀ ଆସିଥିବା ପର୍ଯ୍ୟଟକ ଦମ୍ପତିଙ୍କୁ ସୋମବାର ମାଡ଼ ମରାଯାଇଛି। ଏ ନେଇ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ ଚଳାଇଥିଲେ ବି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ଆସାନସୋଲ୍‌ର ରାଖୋରିଆ ମୁନ୍ସି ଓ ତାଙ୍କ ସ୍ତ୍ରୀ ମନୀଷା ମୁନ୍ସି ପୁରୀ ବୁଲିବାକୁ ଆସି ଏକ ହୋଟେଲରେ ରହିଥିଲେ। ଦୁହେଁ ଟ୍ରାଭେଲ ସଂସ୍ଥା ମାଧ୍ୟମରେ ଟିକେଟ୍‌ ବୁକ୍‌ କରି ସୋମବାର ଏକ ବସ୍‌ ଯୋଗେ ଚିଲିକା ବୁଲିବାକୁ ଯାଇଥିଲେ। ତେବେ ଫେରିବା ବେଳେ ତାଙ୍କୁ ପୁରୀ ଅର୍ବାନ ହାଟ ନିକଟରେ ଛାଡ଼ିବା ବଦଳରେ ବସ୍‌ ଡ୍ରାଇଭର ଅନ୍ୟତ୍ର ଓହ୍ଲାଇ ଦେଇଥିଲେ। ମୁନ୍ସି ଦମ୍ପତି ଏହାକୁ ବିରୋଧ କରିବା ସହ ସେମାନଙ୍କୁ ଗନ୍ତବ୍ୟସ୍ଥଳରେ ଛାଡ଼ିବା ପାଇଁ କହିଥିଲେ ମଧ୍ୟ ବସ୍‌ ଡ୍ରାଇଭର ଶୁଣି ନ ଥିଲେ। ଓଲଟା ତାଙ୍କୁ ମାଡ଼ ମାରିଥିଲେ। କେବଳ ଏହି ଦମ୍ପତି ନୁହେଁ ବରଂ ଅଧିକାଂଶ ଯାତ୍ରୀ ସମାନ ଅଭିଯୋଗ ଆଣି ସମ୍ପୃକ୍ତ ବସ୍‌ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ପିସିଆର୍‌ ଭ୍ୟାନ ପହଞ୍ଚି ଆକ୍ରମଣର ଶିକାର ହୋଇଥିବା ଦମ୍ପତିଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପରେ ଏ ନେଇ ସମୁଦ୍ରକୂଳ ଥାନାରେ ସମ୍ପୃକ୍ତ ଦମ୍ପତି ଏତଲା ଦେଇଛନ୍ତି। ସିଟି ଡିଏସ୍‌ପି କ୍ଷୀରସାଗର ନାୟକ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି। ଡ୍ରାଇଭର ଫେରାର ଥିବାରୁ ତାଙ୍କୁ ଧରିବା ଲାଗି ପୋଲିସର ଏକ ଟିମ୍‌ ଖୋଜାଖୋଜି ଜାରି ରଖିଛି।