ଟୋଟାଲ ବାଳୁଙ୍ଗା

ଲଭ୍‌, ଇମୋଶନ, କମେଡି ଏବଂ ଫ୍ୟାମିଲି ଡ୍ରାମାକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଏକ ଭିନ୍ନ ଧରଣର ଓଡ଼ିଆ ସିନେମା। ଏହାର ଟାଇଟଲ ରହିଛି ‘ଟୋଟାଲ ବାଳୁଙ୍ଗା’। କ୍ରିଷ୍ଣା ଫିଲ୍ମସ ବ୍ୟାନରରେ ଏହାର ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏକ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଉକ୍ତ ଫିଲ୍ମର କାହାଣୀ ଗତିଶୀଳ। କଲେଜ ସମୟର ମଜାଦାର ଘଟଣାକୁ ବେଶ୍‌ ସୁନ୍ଦର ଭାବରେ କାହାଣୀରେ ସ୍ଥାନୀତ କରାଯାଇଛି। ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଟି. ଗଣେଶ। ଏହାପୂର୍ବରୁ ସେ ପ୍ରାୟ ୧୫ଟି ସିନେମାରେ ନିର୍ଦ୍ଦେଶନା ଦେଇସାରିଛନ୍ତି। ସଂଳାପ ରଚନା କରିଛନ୍ତି ଅଜୟ ସାମଲ। ପ୍ରିୟରଞ୍ଜନ ପରିଜା ସିନେମାଟୋଗ୍ରାଫି ଦାୟିତ୍ୱରେ ଅଛନ୍ତି। ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ବିରାଜ ପ୍ରସାଦ। ‘ଦ ଏଣ୍ଡ’ ଏବଂ ‘ହମ୍‌ କିସିସେ କମ୍‌ ନେହିଁ’ର ନାୟକ ଶୁଭ୍ରାଂଶୁ ଏବଂ ନବାଗତ ଚିନ୍ମୟ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଖାସ୍‌ କଥା ହେଲା, ଏଥିରେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ‘ଫେରିବି ପୁଣି ମୁଁ ବସୁଧା ଚିରି’, ‘ଆଖି ଖୋଲିଲେ ତୁ’ ଏବଂ ‘ମନେ ମନେ ମନ ଖୋଜୁଥିଲା’ର ନାୟିକା ନମ୍ରତା ସିଂଦେଓ।

Share