Categories: ଫୁରସତ

ଏହି ଗାଁର ଜନସଂଖ୍ୟା ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଏଠାରେ ରହୁଛନ୍ତି…

ସାଧାରଣତଃ ଗୋଟିଏ ଛୋଟ ଗାଁରେ ଅତି କମ୍‌ରେ ୫୦ରୁ ୧୦୦ ଲୋକ ବାସ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ଗାଁ ଅଛି, ଯାହାର ଜନସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଆପଣ ଭାବୁଥିବେ ଏକ ବଡ଼ ଗାଁ ହୋଇଥିବ ନିଶ୍ଚିତ। ଏହାର ଜନସଂଖ୍ୟା ବହୁ ଅଧିକ ହୋଇଥିବ। ମାତ୍ର ତାହା ନୁହେଁ, ଏହି ଗାଁରେ ମାତ୍ର ଜଣେ ବୃଦ୍ଧା ରହୁଛନ୍ତି।

ଏହି ଗାଁର ନାମ ଆମେରିକାର ନେବ୍ରାସ୍କୋ ରାଜ୍ୟରେ ଥିବା ମୋନୋଭି। ୨୦୧୦ ଜନଗଣନା ଅନୁଯାୟୀ, ଏଠାରେ କେବଳ ଜଣେ ବୃଦ୍ଧା ବାସ କରନ୍ତି, ଯାହାଙ୍କ ନାମ ଏଲସି ଆଇଲର୍‌। ବର୍ତ୍ତମାନ ତାଙ୍କର ବୟସ ପ୍ରାୟ ୮୬ ବର୍ଷ। ୨୦୦୪ ମସିହାରୁ ଏଲ୍‌ସି ଏହି ଗ୍ରାମରେ ଏକାକୀ ରହୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ୧୯୩୦ ମସିହା ପର୍ଯ୍ୟନ୍ତ ଏଠାରେ ୧୨୩ଜଣ ଲୋକ ବାସ କରୁଥିଲେ। କିନ୍ତୁ ଏହା ପରେ ଜନସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲା। ୧୯୮୦ ସୁଦ୍ଧା ଏହି ଗାଁରେ କେବଳ ୧୮ଜଣ ଲୋକ ଥିଲେ। ୨୦୦୦ ସୁଦ୍ଧା କେବଳ ଦୁଇ ଜଣ ଲୋକ ବଞ୍ଚିଥିଲେ। ଏଲସି ଏବଂ ତାଙ୍କ ସ୍ବାମୀ ରୁଡି ଆଇଲର। ୨୦୦୪ରେ ରୁଡି ଆଇଲରଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା, ଯାହା ପରେ ଏଲ୍‌ସି ବର୍ତ୍ତମାନ ଏକୁଟିଆ ଅଛନ୍ତି।

ଏଲ୍‌ସି ଗାଁରେ ଏକ ବାର୍‌ ଚଳାନ୍ତି, ଯେଉଁଠାକୁ ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ଆସିଥାନ୍ତି। ବିଶେଷକରି ଗ୍ରୀଷ୍ମ ଋତୁରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ବାର୍‌ରେ ସାହାଯ୍ୟ କରିବାକୁ ଏଲ୍‌ସି କାହାକୁ ନିଯୁକ୍ତି ଦେଇନାହାନ୍ତି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ତାଙ୍କୁ ସାହାଯ୍ୟ କରନ୍ତି।

କେବଳ ଏତିକି ନୁହେଁ, ମୋନୋଭି ଗାଁରେ ଏକ ଡାକଘର ମଧ୍ୟ ଅଛି। ଯାହା ୧୯୦୨ ମସିହାରେ ସ୍ଥାପନ କରାଯାଇଥିଲା। କିନ୍ତୁ ଜନସଂଖ୍ୟା ହ୍ରାସ ହେତୁ ୧୯୬୭ରୁ ଏହି ଡାକଘର ବନ୍ଦ ହୋଇଯାଇଛି। ୫୪ ହେକ୍ଟରରୁ ଅଧିକ ବ୍ୟାପିଥିବା ମୋନୋଭି ଗାଁରେ ପୂର୍ବରୁ ଲୋକ ରହୁଥିଲେ। ଗାଁ ଛାଡିବା ପଛରେ ରୋଜଗାରର ମୁଖ୍ୟ କାରଣ ବୋଲି କୁହାଯାଉଛି। ଲୋକମାନେ ନିଜର ଏବଂ ପିଲାମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ ସହରକୁ ଚାଲିଗଲେ।

Share