ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍ (Qualifier-୨) ମ୍ୟାଚ୍ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ ଖେଳାଯାଉଥିବା ଏହି ମହାମୁକାବିଲାରେ ଟସ୍କୁ ନେଇ ବିବାଦ ଦେଖାଦେଇଛି, ଯେଉଁଥିପାଇଁ ପଡ଼ିଆରେ ଦୁଇ ଦୁଇ ଥର କଏନ ପକାଯାଇଥିଲା।
ମ୍ୟାଚ୍ ଆରମ୍ଭରୁ ଗୁଜରାଟ ଅଧିନାୟକ ଶୁଭମନ ଗିଲ ପ୍ରଥମେ କଏନ ପକାଇଥିଲେ ଏବଂ ରାଜସ୍ଥାନ ଅଧିନାୟକ ରିୟାନ ପରାଗ ‘ହେଡ୍ସ’ (Heads) କଲ କରିଥିଲେ। ମାତ୍ର କଏନ ପଡ଼ିବା ପରେ ‘ଟେଲ୍ସ’ (Tails) ଆସିଥିଲା, ଯାହା ଗୁଜରାଟ ସପକ୍ଷରେ ଥିଲା।
ତେବେ ମ୍ୟାଚ ରେଫରୀ ପ୍ରକାଶ ଭଟ୍ଟ ଏହି ଟସ୍କୁ ଅମାନ୍ୟ ଘୋଷଣା କରିଥିଲେ। ସେ କହିଥିଲେ ଯେ କୋଳାହଳ ଯୋଗୁ ସେ ପରାଗଙ୍କ କଲ ଶୁଣିପାରି ନ ଥିଲେ। ଏହାପରେ ଗିଲ୍ ପୁଣିଥରେ ସିକ୍କା ଉଛୁଳାଇବାକୁ କୁହାଯାଇଥିଲା। ଦ୍ୱିତୀୟ ବାର ମଧ୍ୟ ରିୟାନ ପରାଗ ’ହେଡ୍ସ’ କହିଥିଲେ ଏବଂ ଏଥର ଭାଗ୍ୟ ତାଙ୍କ ସାଥ ଦେଇଥିଲା। ପରାଗ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଟସ ହାରିବା ପରେ ଗୁଜରାଟ ଅଧିନାୟକ ଗିଲ କହିଛନ୍ତି ଯେ ସେ ମଧ୍ୟ ଟସ ଜିତିଥିଲେ ପ୍ରଥମେ ବ୍ୟାଟିଂ କରିଥାନ୍ତେ, ମାତ୍ର ଭାଗ୍ୟ ପରାଗଙ୍କ ସହ ଥିଲା। ପ୍ରଥମ ଥର କଏନ ପଡ଼ିବା ବେଳେ ଏହା ତାଙ୍କ ସପକ୍ଷରେ ରହିଥିଲା।
ଆଜିର ମ୍ୟାଚ୍ରେ ଯେଉଁ ଦଳ ବିଜୟୀ ହେବ, ସେହି ଦଳ ୩୧ ମେ, ୨୦୨୬ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଆଇପିଏଲ ୨୦୨୬ ର ଗ୍ରାଣ୍ଡ ଫାଇନାଲ ଖେଳିବ।
ସୂଚନାଯୋଗ୍ୟ ଯେ, କ୍ୱାଲିଫାୟର୍-୧ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପୂର୍ବରୁ ହିଁ ଫାଇନାଲ୍ରେ ପ୍ରବେଶ କରିସାରିଛି। RCB ଚଳିତ ବର୍ଷ ୫ମ ଥର ପାଇଁ ଆଇପିଏଲ ଫାଇନାଲ୍ରେ ପହଞ୍ଚିଛି। ଅନ୍ୟପଟେ ଆଜିର ମ୍ୟାଚ୍ ଜିତି ଫାଇନାଲ୍ରେ ଆରସିବି ସହ ଲଢ଼େଇ କରିବା ପାଇଁ ଉଭୟ ଗୁଜରାଟ ଏବଂ ରାଜସ୍ଥାନ ଜୋରଦାର ପ୍ରୟାସ କରୁଛନ୍ତି।
Dharitri – Odisha’s No.1 Odia Daily