Categories: ଖେଳ

ଟସ୍‌ ଯିଏ ଜିତିଲା ମ୍ୟାଚ୍‌ ତା’ର

ଅହମ୍ମଦାବାଦ୍‌,୧୬।୩ : ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ମ୍ୟାଚ୍‌ରେ ୩ୟ ମ୍ୟାଚ୍‌ ପର୍ଯ୍ୟନ୍ତ ଏକ ସମାନ ଧାରା ଦେଖିବାକୁ ମିଳୁଛି। ଟସ୍‌ ଯିଏ ଜିତିଲା ମ୍ୟାଚ୍‌ ତା’ର। ପୂର୍ବ ଦୁଇ ମ୍ୟାଚ୍‌ ଭଳି ଏଥର ମଧ୍ୟ ଟସ୍‌ ଜିତିଥିବା ଦଳ ହିଁ ଭାଗରେ ପଡ଼ିଛି ଜିତାପଟ। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚ୍‌ରେ ଭାରତକୁ ୮ ଉିକେଟରେ ହରାଇ ଦେଇଛି ଇଂଲଣ୍ଡ। ଏହି ବିଜୟ ସହ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ର ଅଗ୍ରଣୀ ହାସଲ କରିଛି।

ପ୍ରାରମ୍ଭିକ ବିପର୍ଯ୍ୟୟ ଯୋଗୁ ବଡ଼ ସ୍କୋର ହାସଲ କରି ପାରି ନ ଥିଲା ଟିମ୍‌ ଇଣ୍ଡିଆ। କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ପୂରା ୨୦ ଓଭରରେ ୬ ଉଇକେଟ ହରାଇ ୧୫୬ ରନ୍‌ କରିଥିଲା। ୪୬ ବଲରେ ୭୭ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ କୋହଲି । ତାଙ୍କ ପାଳିରେ ଥିଲା ୮ ଚୌକା ଓ ୪ ଛକା। ତାଙ୍କୁ ଋଷଭ ପନ୍ତ (୨୫) ଓ ହାର୍ଦ୍ଦିକ ପାଣ୍ଡ୍ୟା (୧୭) କେତେକାଂଶରେ ସାହାଯ୍ୟ କରିଥିଲେ। ଇଂଲଣ୍ଡ ପକ୍ଷରୁ ମାର୍ଗ ଉଡ୍‌ ୩ ଓ କ୍ରିସ ଜୋର୍ଡାନ ହାତେଇଥିଲେ ୨ ଉଇକେଟ। ଜବାବରେ ଜୋସ ବଟଲରଙ୍କ ୮୩ ରନ୍‌ର ବିସ୍ଫୋରକ ପାଳି ଯୋଗୁ ଭ୍ରମଣକାରୀ ଇଂଲଣ୍ଡ ୧୮.୨ ଓଭରରେ ୨ ଉଇକେଟ କ୍ଷତିରେ ହାସଲ କରି ନେଇଥିଲା ବିଜୟ ଲକ୍ଷ୍ୟ। ଭାରତୀୟ ବୋଲରଙ୍କ ମଧ୍ୟରେ କେବଳ ୟୁଜବେନ୍ଦ୍ର ଚହଲ ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ପାଇଥିଲେ ସଫଳତା।

Share