Categories: ଜାତୀୟ

ଇସ୍ରୋ ବୈଜ୍ଞାନିକଙ୍କୁ ନିର୍ଯାତନା, ଜାମିନ୍‌ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି…

ନୂଆଦିଲ୍ଲୀ,୨୨।୧୧: ଇସ୍ରୋ ଗୁପ୍ତଚରୀ ମାମଲାରେ ୪ ବୈଜ୍ଞାନିକଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଆଗୁଆ ଜାମିନ୍‌ ବିରୋଧରେ ନୋଟିସ୍‌ ଜାରି କରିଛନ୍ତି। ୧୯୯୪ରେ କ୍ରାୟୋଜେନିକ୍‌ ଇଞ୍ଜିନ୍‌ ଗୁପ୍ତଚରୀ ଅଭିଯୋଗ ଅଣାଯାଇ ବୈଜ୍ଞାନିକ ନାମ୍ବି ନାରାୟଣଙ୍କ ସମେତ ୪ ଇସ୍ରୋ ବୈଜ୍ଞାନିକଙ୍କୁ ୪ ଜଣ ପୋଲିସ ଏବଂ ଇଣ୍ଟେଲଜେନ୍ସ ବ୍ୟୁରୋ ଅଧିକାରୀ ଅଟକ ରଖି ନିର୍ଯାତନା ଦେଇଥିଲେ। ଏହି ମାମଲାରେ କେରଳ ହାଇକୋର୍ଟ ସମ୍ପୃକ୍ତ ପୋଲିସ ତଥା ଇଣ୍ଟେଲଜେନ୍ସ ବ୍ୟୁରୋ ଅଧିକାରୀଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ।

ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ସିବିଆଇ ପକ୍ଷରୁ ଏକ ଆବେଦନ ଦାଖଲ କରାଯାଇଥିଲା। ବିଚାରପତି ଏ.ଏମ୍‌.ଖାନଓ୍ବିଲ୍‌କର ଏବଂ ସି.ଟି. ରବିକୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଆଗୁଆ ଜାମିନ୍‌ ପ୍ରଦାନ ନେଇ ନୋଟିସ୍‌ ଜାରି କରିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୯ରେ ହେବ ବୋଲି ଖଣ୍ଡପୀଠ ସୂଚନା ଦେଇଛନ୍ତି।

ଅତିରିକ୍ତ ସୋଲିସିଟର ଜେନେରାଲ ଏସ୍‌.ଭି. ରାଜୁ ହାଇକୋର୍ଟଙ୍କ ଦ୍ୱାରା ଅଗଷ୍ଟ ୧୩ରେ ଜାରି ହୋଇଥିବା ଆଗୁଆ ଜାମିନ୍‌ ଉପରେ ଷ୍ଟେ ଅର୍ଡର ପାଇଁ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ।

ସିବିଆଇ ପକ୍ଷରୁ ପୋଲିସ ଅଧିକାରୀ ଏସ୍‌. ବିଜୟନ, ଥାମ୍ପି ଦୁର୍ଗାବତୀ, ପରବର୍ତ୍ତୀ ସମୟରେ ଗୁଜରାଟ ଡିଜିପି ହୋଇଥିବା ଆର୍‌.ବି. ଶ୍ରୀକୁମାର ଏବଂ ଇଣ୍ଟେଲଜେନ୍ସ ବ୍ୟୁରୋ ଅଧିକାରୀ ଏସ୍‌.ଜୟପ୍ରକାଶଙ୍କୁ ହାଇକୋର୍ଟଙ୍କ ପ୍ରକ୍ଷରୁ ପ୍ରଦାନ କରାଯାଇଥିବା ଜାମିନ ବିରୋଧରେ ବୈଜ୍ଞାନିକଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଅଣାଯାଇଥିଲା।

ଏହି ମାମଲାରେ ଶ୍ରୀକୁମାରଙ୍କ ପକ୍ଷରୁ ଆଇନଜୀବୀ କପିଲ ସିବଲ ଏବଂ ଜୟପ୍ରକାଶଙ୍କ ପକ୍ଷରୁ ଆଇନଜୀବୀ କାଲେସ୍ବରାମ ରାଜ ଖଣ୍ଡପୀଠଙ୍କ ସମ୍ମୁଖରେ ଉପସ୍ଥିତ ଥିଲେ।

୨୦୧୮ରେ ଏହି ମାମଲାରେ ବୈଜ୍ଞାନିକ ନାମ୍ବି ନାରାୟଣଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା।

୨୦୨୧ ଏପ୍ରିଲ୍‌ ବିଚାରପତି ଡି.କେ. ଜୈନଙ୍କ ଦ୍ୱାରା ଗଠିତ କମିଶନ ଏସମ୍ପର୍କିତ ରିପୋର୍ଟ ସୁପ୍ରିମ୍‌କୋର୍ଟରେ ଦାଖଲ କରିଥିଲେ। ଅଭିଯୁକ୍ତ ପୋଲିସ ଏବଂ ଇଣ୍ଟେଲଜେନ୍ସ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ ଲାଗି ଶୀର୍ଷକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଜାରି କରିଥିଲେ।

Share