ମୃତ୍ୟୁର ତାଣ୍ଡବ ଆରମ୍ଭ, ଦୈନିକ ମୃତ୍ୟୁ ସଂଖ୍ୟା ୧୭ ଶହ ଟପିଲା, ଧାଡ଼ିଧାଡ଼ି ମୃତଦେହ…

ନୂଆଦିଲ୍ଲୀ, ୨।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୧ ହଜାର ୩୮୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୧,୭୩୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଲଗାତାର ବଢୁଥିବାରୁ ସରକାରଙ୍କ ଚିନ୍ତା ବୃଦ୍ଧି ପାଉଛି।

୩୧ ଜାନୁୟାରୀରେ ଦୈନିକ ମୃତ୍ୟୁ ସଂଖ୍ୟା ୧,୧୯୨ ରେକର୍ଡ ହୋଇଥିବାବେଳେ ଜାନୁୟାରୀ ୩୦ରେ ୯୫୯ ଜଣ ଲୋକଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଥିଲା। ଜାନୁୟାରୀ ୨୫ରେ ୬୧୪ ଜଣଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ଜାନୁୟାରୀ ୨୬ରେ ୬୬୫, ଜାନୁୟାରୀ ୨୭ରେ ୬୨୭, ଜାନୁୟାରୀ ୨୮ ରେ ୮୭୧ ଏବଂ ଜାନୁୟାରୀ ୨୯ରେ ୮୯୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା।
ମୃତ୍ୟୁ ସଂଖ୍ୟା ବଢ଼ିବା ଯୋଗୁ ଶ୍ମଶାନ, କବରସ୍ତାନ ସମ୍ମୁଖରେ ଧାଡ଼ିଧାଡ଼ି ମୃତ ଦେହ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ ଲଗାଇ ରହିଥିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି।

ଗତ ୨୪ ଘଣ୍ଟାରେ ୨ ଲକ୍ଷ ୮୧ ହଜାର ୧୦୯ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା ୧୬ ଲକ୍ଷ ୨୧ ହଜାର ୬୦୩ରେ ପହଞ୍ଚିିଛି। ଦୈନିକ ପଜିଟିଭିଟି ହାର ୧୦ ପ୍ରତିଶତରୁ କମ୍‌ ରହିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୯୭ ହଜାର ୯୭୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୧୬ ଲକ୍ଷ ୩୦ ହଜାର ୮୮୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ କୋଟି ୯୫ ଲକ୍ଷ ୧୧ ହଜାର ୩୦୭ ଜଣ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ଦେଶର ୭ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୫୧,୮୮୭ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୧୬,୦୯୬,ମହାରାଷ୍ଟ୍ରରେ ୧୪,୩୭୨, କର୍ନାଟକରେ ୧୪,୩୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁଜୁରାଟରେ ୮,୩୩୮, ଆନ୍ଧ୍ରପ୍ରଦେଶରେ ୬,୨୧୩ ଏବଂ ରାଜସ୍ଥାନରେ ୬,୨୧୨ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୬୭ କୋଟି ୩୦ ଲକ୍ଷ ଟପିଛି। ସେଥିମଧ୍ୟରେ ୮୯ କୋଟି ୬୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୧ କୋଟି ୫୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Share