ଜିଲା ମୁଖ୍ୟ ଚିକିତ୍ସାଳୟରେ ଟର୍ଚ୍ଚ ଲାଇଟରେ ଚିକିତ୍ସା

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): ବିଦ୍ୟୁତ୍‌ ନ ଥିବାରୁ ଅନ୍ଧାରରେ ଚିକିତ୍ସା କରୁଛନ୍ତି ଡାକ୍ତର। ଏହା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋଦ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ। ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଅନ୍ଧାରରେ ଚିକିତ୍ସା ଭଳି ଉଦ୍‌ବେଗଜନକ ଚିତ୍ର ସାମ୍ନାକୁ ଆସିଛି। ଶନିବାର ରାତିରେ ଏମ୍‌ସିଏଚ୍‌ ବିଲଡିଂ ପ୍ରସୂତି ଓ ଚିକିତ୍ସା ବିଭାଗ ୱାର୍ଡରେ ବିଦ୍ୟୁତ୍‌ ନ ଥିବାରୁ ଟର୍ଚ୍ଚ ଆଲୁଅରେ ଡାକ୍ତର ରୋଗୀ ଦେଖିଥିବା ଘଟଣା ରୋଗୀଙ୍କ ପରିଜନ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ଏଭଳି ଅବ୍ୟବସ୍ଥା ଯୋଗୁ ଏମସିଏଚ ବିଲଡିଂରେ ଚାପା ଉତ୍ତେଜନା ଦେଖାଦେଇଥିଲା। ପ୍ରସୂତି ଓ ଶିଶୁ ଚିକିତ୍ସା ବିଭାଗରେ ବିଦ୍ୟୁତ୍‌ ନ ଥିବାରୁ ଟର୍ଚ୍ଚ ବ୍ୟବହାର କରି ଡାକ୍ତର ଚିକିତ୍ସା କରିଥିଲେ। କଳାହାଣ୍ଡି ଜିଲାର ଦୀର୍ଘ ଦିନର ଦାବି ପରେ ଶହୀଦ ରେଣ୍ଡୋ ମାଝିଙ୍କ ନାମରେ ମେଡିକାଲ କଲେଜ ସ୍ଥାପନା ହୋଇଛି। ଏଥିପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ମେଡ଼ିକାଲ କାର୍ଯ୍ୟ ହେବ। ୨୩-୨୪ ବର୍ଷ ପାଇଁ ଛାତ୍ରୀଛାତ୍ରଙ୍କ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି। କିନ୍ତୁ ଏଠାରେ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ହୋଇପାରୁ ନ ଥିବାରୁ ଏହା କିଭଳି ସମ୍ଭବ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଗିରିଶ ଚନ୍ଦ୍ର ରାଉତଙ୍କୁ ପଚାରିବାରୁ ଡିଜି (ଜେନେଟେର)ର ହଠାତ ବ୍ୟାଟେରୀ ଫାଟି ଯିବାରୁ ଏପରି ଅସୁବିଧା ହୋଇଥିଲା। ବ୍ୟାଟେରୀ ଲଗାଯିବ ପରେ ପରିସ୍ଥିତି ସ୍ବଭାଭିକ ହୋଇଥିଲା ବୋଲି କହିଥିଲେ।