Categories: ଜାତୀୟ

ବୋହୂଙ୍କ ପାଇଁ ନିର୍ବାଚନ ମଇଦାନ ଛାଡ଼ିଲେ କଂଗ୍ରେସ ନେତା

ଗୋଆ,୨୭।୧: ଗୋଆର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଶକ୍ତ ଧକ୍କା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ପ୍ରତାପସିନ୍ହ ରାଣେ ନିର୍ବାଚନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ନ ହେଲେ ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନରେ ବୋହୂଙ୍କ ସହ ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥାନ୍ତା।

ପରିବାର ଚାପରେ ନୁହେଁ, ବରଂ ଅତ୍ୟଧିକ ବୟସ କାରଣରୁ ନିର୍ବାଚନ ମଇଦାନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ୮୭ ବର୍ଷୀୟ ରାଣେ କହିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗତ ଡିସେମ୍ବରରେ ପୋରିୟମ୍‌ ଆସନରୁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ। ଗତ ସପ୍ତାହରେ ଭାଜପା ପ୍ରତାପସିନ୍ହଙ୍କ ବୋହୂ ଦେବିୟା ବିଶ୍ୱଜୀତ ରାଣେଙ୍କୁ ସେହି ଆସନରୁ ଟିକେଟ୍‌ ଦେଇଥିଲା।

ପୋରିୟମ୍‌ ରାଣେଙ୍କ ଗଡ଼ ଭାବେ ପରିଚିତ। ଏହି ଆସନରୁ ସେ ଲଗାତାର ୧୧ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ସେ ଏହି ଆସନରୁ କଦାପି ପରାଜୟ ଦେଖି ନାହାନ୍ତି। ରାଣେ ଗୋଆର ସବୁଠୁ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ପୁଅ ବିଶ୍ୱଜୀତ ରାଣେ ଏବେ ଗୋଆ ଭାଜପା ସରକାରରେ ମନ୍ତ୍ରୀ ଅଛନ୍ତି। ପୂର୍ବରୁ ଜୁନିୟର ରାଣେ ମଧ୍ୟ କଂଗ୍ରେସରେ ଥିଲେ। ସେ ୨୦୧୭ ନିର୍ବାଚନରେ କଂଗ୍ରେସ ଛାଡ଼ି ଭାଜପାକୁ ଚାଲି ଯାଇଥିଲେ।

Share