Categories: ଜାତୀୟ

‘ପାତାଳରେ ଲୁଚିଥିଲେ ବି ଦୋଷୀଙ୍କୁ ଦଣ୍ଡିତ କରିବାକୁ ସଙ୍କଳ୍ପ ନେଇଥିଲି’

ହରଦୋଇ(ୟୁପି),୨୦।୨: ମୁଁ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଅହମ୍ମଦାବାଦରେ ସିରିଏଲ ବିସ୍ଫୋରଣ ଘଟିଥିଲା। ଖୁବ୍‌ କାନ୍ଦିଛି। ମୁଁ ସେହି ରକ୍ତ ଭିଜା ମାଟିକୁ ନେଇ ପାତାଳରେ ଲୁଚିଥିଲେ ବି ଆତଙ୍କବାଦୀଙ୍କୁ ଖୋଜି ଦଣ୍ଡିତ କରିବାକୁ ସଙ୍କଳ୍ପ ନେଇଥିଲି। ମୁଁ ଏତେ ଦିନ ହେଲା ଚୁପ୍‌ ଥିଲି କାରଣ କୋର୍ଟରେ ଅହମ୍ମଦାବାଦ ସିରିଏଲ ବିସ୍ଫୋରଣ ମାମଲାର ଶୁଣାଣି ଚାଲିଥିଲା। କୋର୍ଟ ସେମାନଙ୍କୁ ଦଣ୍ଡ ଦେବା ପରେ ମୁଁ ଦେଶ ଆଗରେ ସେହି ବିଷୟ ରଖୁଛି। ଅହମ୍ମଦାବାଦର ସିରିଜ୍‌ ବିସ୍ଫୋରଣ ଘଟଣାରେ ୪୯ ଦୋଷୀଙ୍କ ମଧ୍ୟରୁ ୩୮ ଜଣଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇବାର ଦିନକ ପରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଉତ୍ତରପ୍ରଦେଶର ହରଦୋଇରେ ଆୟୋଜିତ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଯେଉଁମାନେ ଆମକୁ ଧ୍ୱଂସ କରିବାକୁ ଚାହୁଁଥିଲେ, ସେମାନଙ୍କୁ କୋର୍ଟ ଦଣ୍ଡ ଦେଇଛନ୍ତି। ଯେତେବେଳେ ଏକ ଆତଙ୍କବାଦୀ ଆକ୍ରମଣ ହୁଏ, ସବୁଠୁ ଅଧିକ ଗରିବଙ୍କ କ୍ଷତି ହୁଏ। ଆକ୍ରମଣ ପରେ ସାଧାରଣ ଲୋକଙ୍କ ଜୀବନ, ବ୍ୟବସାୟ ଓ ପର୍ଯ୍ୟଟନ ପ୍ରଭାବିତ ହୁଏ। ଆଜି ମୁଁ ଏହି ବିଷୟରେ କହୁଛି, କାରଣ କିଛି ରାଜନୈତିକ ଦଳ ଆତଙ୍କବାଦୀଙ୍କ ପ୍ରତି ଦୟା ଦେଖାଉଛନ୍ତି। ଦୁଇ ଘଣ୍ଟାର ବ୍ୟବଧାନରେ ସମସ୍ତ ବିସ୍ଫୋରଣ ଘଟିଥିଲା। ସହରର ୫୦ -୬୦ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏହାର ଦୁଇ ଘଣ୍ଟା ପରେ ହସ୍ପିଟାଲରେ ରଖାଯାଇଥିବା ଗାଡ଼ିରେ ବିସ୍ଫୋରଣ ଘଟିଥିଲା। ସେଠାରେ ଅନେକ ପ୍ରାଣ ହରାଇଥିଲେ। ପ୍ରାରମ୍ଭିକ ବିସ୍ଫୋରଣରେ ବ୍ୟବହୃତ ବୋମା ସାଇକେଲରେ ରଖାଯାଇଥିଲା। ଆତଙ୍କବାଦୀମାନେ ସାଇକେଲ କାହିଁକି ବାଛିଲେ, ମୁଁ ଜାଣିପାରୁନି”।

ଗତ ୧୮ ତାରିଖରେ ଅହମ୍ମଦାବାଦର ସ୍ପେଶାଲ କୋର୍ଟ ୨୦୦୮ ସିରିଏଲ ବିସ୍ଫୋରଣ ମାମଲାରେ ଇଣ୍ଡିଆନ ମୁଜାହିଦିନ (ଆତଙ୍କବାଦୀ ସଂଗଠନ)ର ୩୯ ସଦସ୍ୟଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି। ଏହି ମାମଲାରେ ଆହୁରି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଶ ଦେଇଛନ୍ତି କୋର୍ଟ।

Share