ରାଓ୍ବଲପିଣ୍ଡି,୨୭ା୨: ବାଂଲାଦେଶ ଓ ଆୟୋଜକ ପାକିସ୍ତାନ ମଧ୍ୟରେ ଗୁରୁବାର ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ ବର୍ଷା ବାଧକ ସାଜିଥିଲା। ଲଗାଣ ବର୍ଷା ଯୋଗୁ ମ୍ୟାଚରେ ଟସ୍ ମଧ୍ୟ ପଡ଼ିପାରି ନ ଥିଲା। ମ୍ୟାଚ ରେଫରୀ ଧାର୍ଯ୍ୟ ସମୟଠାରୁ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ମା୍ୟଚ୍କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ।
ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ପ୍ରଦାନ କରାଯାଇଛି। ଏଥିଯୋଗୁ ଆୟୋଜକ ପାକିସ୍ତାନ ବିନା ବିଜୟରେ ଚାମ୍ପିୟନ୍ସ ଟ୍ରଫି ଅଭିଯାନ ଶେଷ କରିଛି। ଉଭୟ ଦଳ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହୋଇ ସେମିଫାଇନାଲ ଦୌଡ଼ରୁ ପୂର୍ବରୁ ବିଦାୟ ନେଇସାରିଥିଲେ। ଦୀର୍ଘ ୨୯ ବର୍ଷ ପରେ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରୁଥିବା ପାକିସ୍ତାନ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଥିଲା। କିନ୍ତୁ ଦଳ ବିନା ବିଜୟରେ ଅଭିଯାନ ଶେଷ କରିଛି। ପାକିସ୍ତାନ ତା’ର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ୬୦ ରନ୍ରେ ଏବଂ ଦ୍ୱିତୀୟ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ ୬ ଉଇକେଟରେ ପରାସ୍ତ ହୋଇଥିଲା।
ଆମେ ଆମର ଘରୋଇ ପ୍ରଶଂସକଙ୍କ ସମ୍ମୁଖରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଥିଲୁ। ଆମଠାରୁ ଖୁବ ଅଧିକ ଆଶା କରାଯାଉଥିଲା। ଆମେ ଭଲ ପ୍ରଦର୍ଶନ କରିପାରିଲୁ ନାହିଁ ଏବଂ ଏହା ଆମ ପାଇଁ ଦୁଃଖର ବିଷୟ। ତୁମେ ତୁମ ତ୍ରୁଟିରୁ ଶିଖି ପାରିବ। ଆମେ ଗତ କିଛି ମ୍ୟାଚରେ ଭୁଲ କରିଥିଲୁ। ଆଶା କରୁଛୁ, ସେଥିରୁ ଆମେ ଶିଖିବୁ ବୋଲି ପାକିସ୍ତାନ ଦଳର ଅଧିନାୟକ ମହମ୍ମଦ ରିଜଓ୍ବାନ କହିଛନ୍ତି।


