ଟମାଟୋ କିଣିବାକୁ ଡର, କିଲୋ ୧୦୦ରୁ ଅଧିକ

ପାରଳାଖେମୁଣ୍ଡି,୩୦ା୬(ଗିରିଧାରୀ ପରିଛା): ବଢୁଛି ପରିବା ଦର। ଅତିଷ୍ଠ ହେଉଛନ୍ତି ସାଧାରଣ ଲୋକେ। ନିମ୍ନ ଓ ମଧ୍ୟବିତ୍ତ ପରିବାରର ଲୋକେ ପରିବା କିଣିବା ଆଗରୁ ଦଶ ଥର ଭାବୁଛନ୍ତି। ପାରଳାଖେମୁଣ୍ଡି ସହରରେ ଟମାଟୋ ଦର ୧୦୦ ଟଙ୍କା ପାର କରିଛି। ମାସକ ତଳେ ୩୦ରୁ୪୦ ଟଙ୍କା ଥିଲା ବେଳେ ହଠାତ ଦର ବୃଦ୍ଧି ପାଇଛି। ଅନ୍ୟାନ୍ୟ ପନିପରିବା ଦର ମଧ୍ୟ ବେଶ ବୃଦ୍ଧି ପାଇଛି । ଝୁଡଙ୍ଗ କିଲୋ ପିଛା ୧୦୦, ବିନ୍ସ ୧୫୦, ଭେଣ୍ଡି ୮୦, ପୋଟଳ ୮୦, କାକୁଡି ୮୦, କଲରା ୮୦, ଗାଜର ୫୦, ଜହ୍ନି ୮୦ ଟଙ୍କାରେ ବିକ୍ରି ହେଉଛି। ବଜାରରେ ଅଧିକାଂଶ ପରିବା ଦର ୮୦ ଟଙ୍କାରୁ ଊଦ୍ଧର୍‌ବ ରହିଛି। ଅନ୍ୟପଟେ ଗଜପତି ଜିଲାର ଚାଷୀ ମାନେ ପରିବା ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। କାରଣ ଚାଷୀମାନେ ସରକାରୀ ବିହନ ଠିକ ସମୟରେ ପାଇ ପାରୁନଥିବା ଏବଂ ଓଡିଶା ବିହନରେ ଚାଷ କଲେ ପୋକ ଧରୁଥିବା ଚାଷୀମାନେ କହିଛନ୍ତି। ଫଳରେ ଜିଲାର ଅଧିକାଂଶ ଚାଷୀ ବାହାର ରାଜ୍ୟକୁ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ମୌସୁମୀ ଓ ଲଘୁଚାପ ବର୍ଷା ପ୍ରଭାବରେ ବାଇଗଣ, ପୋଟଳ, ଭେଣ୍ଡି ଆଦି ପରିବା ନଷ୍ଟ ହୋଇଛି । ଗଛରୁ ଫୁଲ, ଫଳ ମଧ୍ୟ ଝଡ଼ି ପଡ଼ିଛି । ବର୍ଷା ଯୋଗୁଁ ପରିବା ବଜାରକୁ ପର୍ଯ୍ୟାପ୍ତ ପରିମାଣର ଆସିପାରିନାହିଁ ବୋଲି ବ୍ୟବସାୟୀ କହିଛନ୍ତି।