ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ପ୍ରଚଣ୍ଡ ଗରମ ଏବଂ ମୌସୁମୀର ବିଳମ୍ବିତ ଆଗମନ ଯୋଗୁଁ ଟମାଟୋ ଚାଷ ବହୁତ ପ୍ରଭାବିତ ହୋଇଛି। ଏହି କାରଣରୁ ବଜାର ଉପରେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି, ଯେଉଁଠାରେ ଟମାଟୋ ଦାମ କ୍ରମାଗତ ଭାବେ ବଢିବାରେ ଲାଗିଛି।

ଦେଶର ପ୍ରମୁଖ ଉତ୍ପାଦନକାରୀ ରାଜ୍ୟଗୁଡ଼ିକରୁ ଟମାଟୋ ଯୋଗାଣ (ସପ୍ଲାଇ) କମିଯିବା ଯୋଗୁଁ ମୂଲ୍ୟରେ ଏହି ବୃଦ୍ଧି ଜାରି ରହିଛି। ରିପୋର୍ଟ ଅନୁଯାୟୀ, ବଜାରରେ ଟମାଟୋର ଖୁଚୁରା ମୂଲ୍ୟ ଗତ ମାସ ତୁଳନାରେ ୧୬% ଏବଂ ଗତ ବର୍ଷର ସମାନ ଅବଧି ତୁଳନାରେ ୨୩% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଯଦି ଆପଣ ମଧ୍ୟ ପ୍ରତିଦିନ ପରିବାରେ ଟମାଟୋ ବ୍ୟବହାର କରୁଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ରୋଷେଇ ଘର ବଜେଟ୍ ପାଇଁ ପୂର୍ବ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ।

ଟମାଟୋର ବଢୁଥିବା ଦର ପଛର ସବୁଠାରୁ ବଡ଼ କାରଣ ଖରାପ ପାଣିପାଗକୁ କୁହାଯାଉଛି। ବିଶେଷ କରି ଖରାଦିନେ କମ୍ ଚାଷ ଏବଂ କେତେକ ପ୍ରମୁଖ ଉତ୍ପାଦନକାରୀ ରାଜ୍ୟରେ ପ୍ରତିକୂଳ ପାଣିପାଗ ଯୋଗୁଁ ଆଗାମୀ ମାସଗୁଡ଼ିକରେ ଟମାଟୋ ଆହୁରି ମହଙ୍ଗା ହେବାର ସମ୍ଭାବନା ରହିଛି। ଅନ୍ୟପଟେ, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଟମାଟୋର ସମୁଦାୟ ଉତ୍ପାଦନ ବୃଦ୍ଧି ପାଇବ। ଏଭଳି ପରିସ୍ଥିତିରେ ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କଣ ଟମାଟୋ ଦର ୧୦୦ ଟଙ୍କା ପାର୍‌ କରିଯିବ?

ଏହା ବ୍ୟତୀତ ଟମାଟୋ ଫସଲ ସମ୍ପୂର୍ଣ୍ଣ ଭାବେ ପାଣିପାଗ ଉପରେ ନିର୍ଭର କରିଥାଏ। ପ୍ରାୟତଃ ଦେଖାଯାଏ ଯେ ଯଦି କୌଣସି ବଡ଼ ଉତ୍ପାଦନକାରୀ ରାଜ୍ୟରେ ବର୍ଷା, ଅତ୍ୟଧିକ ଗରମ କିମ୍ବା ଅନ୍ୟ କୌଣସି କାରଣରୁ ଫସଲ ନଷ୍ଟ ହୁଏ, ତେବେ ବଜାରରେ ଯୋଗାଣ କମିଯାଏ। ଏହି କାରଣରୁ ଜୁନରୁ ଅଗଷ୍ଟ ଏବଂ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଟମାଟୋ ଦରରେ ପ୍ରାୟତଃ ବଡ଼  ବୃଦ୍ଧି ଦେଖିବାକୁ ମିଳିଥାଏ।

Share