ଗ୍ରାମାଞ୍ଚଳରେ ଟମାଟୋ ଫ୍ଲୁ’

ସାଲେପୁର,୧୯।୫(ଡି.ଏନ୍‌.ଏ.): ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳର ଶିଶୁମାନଙ୍କ ଠାରେ ଟମାଟୋ ଫ୍ଲୁ’ ରୋଗ ଦେଖିବାକୁ ମିଳୁଛି। ଗତ କିଛି ଦିନ ହେବ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିୟମିତ ୧୦ରୁ ଊର୍ଦ୍ଧ୍ୱ ଶିଶୁରୋଗୀ ଆସୁଛନ୍ତି। ବିଶେଷକରି ୫ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ଠାରେ ଏହି ରୋଗ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଏହି ରୋଗ ହେବା ଦ୍ୱାରା ଶିଶୁର ହାତ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଲାଲ୍‌ ରଙ୍ଗର ଶୂନ ଫୋଟକା ହେବା ସହ ପାଟିରେ ଘା’ ହୋଇଯାଉଛି। ଏଥିପାଇଁ ଆବଶ୍ୟକ ଔଷଧ ବାହାରି ନ ଥିବାବେଳେ ସାଧାରଣ ଚିକିତ୍ସା ପ୍ରଣାଳୀରେ ଚିକିତ୍ସା କରାଯାଉଛି। ଏହା ଏକ ପ୍ରକାର ସଂକ୍ରମିତ ରୋଗ ବୋଲି ଡାକ୍ତର ଶରତ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଏହି ରୋଗ ହେଲେ ପ୍ରଥମେ ଶିଶୁର ପାଟି, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଶୂନ ଫୋଟକା ପରି ଫଳିଯିବା ସହ ଶରୀରରେ ଜ୍ୱର ରହୁଛି। ଶିଶୁଗୁଡ଼ିକ ଦୁର୍ବଳ ହୋଇପଡୁଛନ୍ତି। ଏହା ସଂକ୍ରାମକ ରୋଗ ହୋଇଥିବାରୁ ସଂକ୍ରମିତ ଶିଶୁଙ୍କ ଠାରୁ ଅନ୍ୟମାନଙ୍କୁ ଦୂରେଇ ରଖିବା ଆବଶ୍ୟକ। ଏହା ସାଧାରଣଭାବେ ୫ରୁ ୭ଦିନ ମଧ୍ୟରେ ଭଲ ହୋଇଯାଇଥାଏ। ଯେଉଁ ଶିଶୁଠାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ତା’ଠାରେ ଏହି ରୋଗ ଦେଖାଯାଇ ନ ଥାଏ ବୋଲି ଡାକ୍ତର ମହାନ୍ତି ପ୍ରକାଶ କରିଛନ୍ତି।