Categories: ଜାତୀୟ

ହରସିମ୍‌ରତଙ୍କ ସ୍ଥାନରେ ତୋମାରଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ,୧୯।୯(ପି.ଟି.): କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି ମନ୍ତ୍ରିମଣ୍ଡଳରୁ ହରସିମ୍‌ରତ କୌର ବାଦଲ ଗୁରୁବାର ଇସ୍ତଫା ଦେବା ପରେ ନରେନ୍ଦ୍ର ସିଂ ତୋମାରଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅପରପକ୍ଷରେ ହରସିମ୍‌ରତଙ୍କ ଇସ୍ତଫାପତ୍ରକୁ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିଛନ୍ତି। ଲୋକ ସଭାରେ ଉପସ୍ଥାପିତ ହୋଇଥିବା କୃଷି ସମ୍ପର୍କିତ ବିଲ୍‌କୁ ବିରୋଧ କରି ହରସିମ୍‌ରତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଟୁଇଟର ମାଧ୍ୟମରେ ଜଣାଇଥିଲେ। ହରସିମ୍‌ରତ ଶିରୋମଣି ଅକାଳି ଦଳର ଏମ୍‌ପି ହୋଇଥିବାବେଳେ ଏନ୍‌ଡିଏ ସରକାରରେ ସେ ତାଙ୍କ ଦଳରୁ ଏକମାତ୍ର ମନ୍ତ୍ରୀ ଭାବେ ସାମିଲ ହୋଇଥିଲେ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ସେ କ୍ୟାବିନେଟ ମନ୍ତ୍ରୀଭାବେ କାର୍ଯ୍ୟ କରୁଥିଲେ। ମୋଦି ସରକାରଙ୍କ ସଂଶୋଧିତ କୃଷି ନୀତିକୁ ଦେଶର ସବୁସ୍ଥାନରେ ବିରୋଧ ହେଉଥିବାବେଳେ ପଞ୍ଜାବର ଚାଷୀମାନେ ଏବେ ରାଜରାସ୍ତାକୁ ଓହ୍ଲାଇଲେଣି। ତେଣୁ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହରସିମ୍‌ରତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଥିଲେ। ମୋଦିଙ୍କ କୃଷୀ ନୀତି ଚାଷୀଙ୍କ ଅପେକ୍ଷା ଶିଳ୍ପପତିମାନେ ଅଧିକ ଫାଇଦା ପାଇବେ ବୋଲି ଅଭିଯୋଗ ହେଉଛି। ବିରୋଧୀମାନେ ଏହାକୁ କୃଷକ ଶୋଷଣ ନୀତି ବୋଲି ଅବିହିତ କରୁଛନ୍ତି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କୃଷି ନୀତି ବିରୋଧରେ ବିରୋଧମାନଙ୍କ ବିବୃତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ମୋଦି କହିଛନ୍ତ, ଏହି କୃଷି ନୀତି ଦ୍ୱାରା କୌଣସି ଚାଷୀ ସେମାନଙ୍କ ଅଧିକାରରୁ ବଞ୍ଚତ୍ତ ହେବେ ନାହିଁ। ନୂତନ କୃଷି ନୀତି ବର୍ତ୍ତମାନ ସମୟର ଆହ୍ବାନ। ଏହାଦ୍ୱାରା କୃଷକର ମାନଦଣ୍ଡ ବୃଦ୍ଧି ହେବା ସହ ଦେଶର ଅର୍ଥନୀତିରେ ଚାଷୀର ଭାଗିଦାରୀ ବୃଦ୍ଧି ପାଇବ ବୋଲି ମୋଦି କହିଛନ୍ତି।

Share