Categories: ଖେଳ

ହକିରେ ଭାରତୀୟ ମହିଳାଙ୍କ କ୍ୱାର୍ଟର ଆଶା ଉଜ୍ଜୀବିତ

ଟୋକିଓ,୩୦।୭: ଅଲିମ୍ପିକ୍ସ ହକି ଇଭେଣ୍ଟରେ ଭାରତୀୟ ମହିଳା ଦଳ କ୍ରମାଗତ ୩ଟି ପରାଜୟ ବରଣ କରିବା ପରେ ପ୍ରଥମ ବିଜୟ ହାସଲ କରିଛି। ଶୁକ୍ରବାର ଭାରତ ନବନୀତ କୌରଙ୍କ ବିଳମ୍ବିତ ଗୋଲ ବଳରେ ଆୟର୍ଲାଣ୍ଡକୁ ୧-୦ ଗୋଲରେ ପରାସ୍ତ କରିଛି। ଏଥିସହ ଭାରତର କ୍ୱାର୍ଟର ଫାଇନାଲ ଆଶା ଉଜ୍ଜୀବିତ ରହିଛି। ଭାରତ ଏବେ ତା’ର ଅନ୍ତିମ ପୁଲ ମାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଶନିବାର ଭେଟିବ ଓ ଏହି ମ୍ୟାଚ୍‌ରେ ବିଜୟ ହାସଲ କରିବା ଅପରିହାର୍ଯ୍ୟ ହୋଇଛି। ଏଥିସହ ଗ୍ରେଟ୍‌ ବ୍ରିଟେନଠାରୁ ଆୟର୍ଲାଣ୍ଡ ହାରିବା ଜରୁରି ହୋଇଛି। ଏହା ହେଲେ ଭାରତ କ୍ୱାର୍ଟର ଫାଇନାକୁ ଉଠିବ। ଉଭୟ ପୁଲର ଶ୍ରେଷ୍ଠ ୪ଟି ଦଳ କ୍ୱାର୍ଟର ଫାଇନାଲକୁ ଉଠିବେ। ଭାରତ ପୁଲ ଏ’ରେ ୪ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ସହ ୩ ପଏଣ୍ଟ ହାସଲ କରି ପଞ୍ଚମ ସ୍ଥାନରେ ରହିଛି। ଆୟର୍ଲାଣ୍ଡ ମଧ୍ୟ ସମାନ ୩ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଗୋଲ ବ୍ୟବଧାନରେ ଭାରତକୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ରହିଛି।

Share