ଟୋକିମରା, ଧାଙ୍ଗଡି ଦୋଳା ପରବ ଉଦ୍‌ଯାପିତ: ନାଚ, ଗୀତରେ ଝୁମିଲେ ଆଦିବାସୀ

କୋକସରା,୨ା୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମରେ ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ଦୁଇଦିନିଆ ଟୋକିମରା ଓ ଧାଙ୍ଗଡି ଦୋଳା ପରବ ମହାସମାରୋହରେ ପାଳିତ ହୋଇଯାଇଛି। ଟୋକିମରା ପରବ ପାଇଁ ବିଗତ ସପ୍ତାହେ ଧରି ଓଲମା ଗ୍ରାମ ଚଳଚଞ୍ଚଳ ହୋଇ ପଡିଥିଲା ା କେବଳ ଆଦିବାସୀ ସମ୍ପ୍ରଦାୟ ନୁହଁନ୍ତି ଗ୍ରାମରେ ବସବାସ କରୁଥିବା ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇ ଭାଇଚାରାର ନିଦର୍ଶନ ଦେଖାଇଛନ୍ତି। ରବିବାର ଟୋକିମରା ପରବ ସରିଥିବା ବେଳେ ସୋମବାର ଧାଙ୍ଗଡିଦୋଳା ପରବରେ ଆଖପାଖ ଅଞ୍ଚଳ ଓ ଗ୍ରାମର ଶତାଧିକ ଯୁବତୀ ଯୁବକ ସାମିଲ ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନାଚଗୀତରେ ମତୁଆଲା ହୋଇଥିଲେ ।

ଧାଙ୍ଗଡିଦୋଳା ପରବରେ ଯେଉଁ ଆଦିବାସୀ ଯୁବତୀଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି ସେମାନେ ନିଜ ନିଜର ଜୀବନସାଥୀଙ୍କୁ ଆଜିର ଦିନରେ ସମସ୍ତଙ୍କ ଆଗରେ ଖୋଲାଖୋଲି ବାଛିବା ପାଇଁ ସାମାଜିକ ସ୍ବୀକୃତି ରହିଛି। ଏହି କାର୍ଯ୍ୟକ୍ରମକୁ ଓଲମା ଗ୍ରାମ୍ୟ କମିଟିର ସଭାପତି ଗୌନ୍ତିଆ ତଥା ସଭାପତି ବିଭୁତି ଭୂଷଣ ପଣ୍ଡା, ଉପ ସଭାପତି ହିମାଦ୍ରୀ ବଗର୍ତ୍ତି, ସମ୍ପାଦକ ବ୍ରହ୍ମାନନ୍ଦ ମାଝୀ, ସହ ସମ୍ପାଦକ ବଳରାମ ସାଗର, କୋଷାଧ୍ୟକ୍ଷ ଅଚ୍ୟୁତ କୁମାର ସାହୁଙ୍କ ସମେତ ଗ୍ରାମବାସୀ ପରିଚାଳନା କରିଥିଲେ। ୨୦ଟି ଗ୍ରାମର କନ୍ଧ ସମ୍ପ୍ରଦାୟର ଆଦିବାସୀମାନେ ଟୋକିମରା ଓ ଧାଙ୍ଗରିଦୋଳା ପରବରେ ଅଂଶଗ୍ରହଣ କରିଥିଲେ ।