ଅନୁଗୋଳରେ ଅତ୍ୟାଧୁନିକ ଶୌଚାଳୟ

ଅନୁଗୋଳ ଅଫିସ,୩୧ା୩: ଅନୁଗୋଳ ପୌରାଞ୍ଚଳର ୧୫ନଂ. ଓ୍ବାର୍ଡରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରାଯାଉଛି। ନବନିର୍ମିତ ବସ୍‌ ଟର୍ମିନାଲ ସମ୍ମୁଖରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଆସପେସ୍‌ନାଲ ଟଏଲେଟ୍‌ରେ ବିମାନ ବନ୍ଦର ଶୌଚାଳୟ ଭଳି ସୁବିଧା ଉପଲବ୍ଧ ହେବ ବୋଲି ପୌରସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
ମୋଟ ୮୦୦ ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଉଥିବା ଏହି ଶୌଚାଳୟରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ଅଟକଳ କରାଯାଇଛି। ମୋଟ ୨୦ଟି ସିଟ୍‌ ମଧ୍ୟରୁ ମହିଳାଙ୍କ ପାଇଁ ୧୦ ଏବଂ ପୁରୁଷଙ୍କ ପାଇଁ ୧୦ଟି ଉପଲବ୍ଧ ହେବ। ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଏହି ଶୌଚାଳୟ ଖୋଲାଯାଉଥିବାରୁ ଲୋକଙ୍କୁ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯିବାକୁ ଯୋଜନା କରାଯାଇଛି। ଟଏଲେଟ୍‌ରେ ଶୌଚ କରିବା, କପଡ଼ା ବଦଳାଇବା ପାଇଁ ବ୍ୟବସ୍ଥା ରହିବ। ହାତ ପୋଛିବା ପାଇଁ ଟିସୁ ପେପର ରଖାଯିବ। ସାନିଟାଇଜ୍‌ ନାପ୍‌କିନ୍‌ ମଧ୍ୟ ପ୍ରଦାନ କରାଯିବ। ସହରବାସୀ ଏବଂ ଆଗନ୍ତୁକଙ୍କୁ ପାଇଁ ପରବର୍ତ୍ତୀ ସମୟରେ ସେଠାରେ କାପିଟ୍‌ ଏରିଆ ଖୋଲିବ। ଏଠାରେ ଚା, ପାଣି, କଫି ଓ ସ୍ନାକ୍ସ ବ୍ୟବସ୍ଥା କରାଯିବ। ଏପିଲ୍‌ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଶୌଚାଳୟରେ ଅତ୍ୟାଧୁନିକ ସେନ୍‌ସର ଖଞ୍ଜାଯିବ। ଫଳରେ ଓଦାହାତ ଶୁଖିଯିବ। ବେସିନରେ ହାତ ରଖୁ ରଖୁ ଟ୍ୟାପରୁ ଆପେ ଆପେ ପାଣି ଆସିବ। ସେନ୍‌ସର ମାଧ୍ୟମରେ ସିଟ୍‌ଗୁଡ଼ିକ ପରିଷ୍କାର ହେବ।
ଶୌଚାଳୟକୁ ଆସୁଥିବା ଲୋକଙ୍କୁ ପାଇଁ ରିସିପ୍‌ସନ୍‌ ସେଣ୍ଟର ରହିବ। ସେଠାରେ ସେମାନେ ନିଜର ସାମଗ୍ରୀ ରଖିପାରିବେ। ଏହି ଶୌଚାଳୟକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟ ପରିଚାଳନା କରିବେ। ସେମାନଙ୍କ ପାଇ ସ୍ବତନ୍ତ୍ର ଡ୍ରେସ୍‌ କୋଡ୍‌ ବ୍ୟବସ୍ଥା କରାଯିବ। ଅନୁଗୋଳ ଜିଲାରେ ଏଭଳି ପ୍ରକଳ୍ପ ପ୍ରଥମ। ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଦେୟ ମୁକ୍ତ କରାଯିବ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି।