ବେଦିରୁ ଉଠି କଲେ ରକ୍ତଦାନ

ଅନୁଗୋଳ, ୫ା୩(ଅମିତ କୁମାର ସାମଲ):ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ମିଳିତ ଭାବେ ନେଇଥିଲେ ନିଷ୍ପତ୍ତି। ସେଥିପାଇଁ ବିବାହ ସରିବା ମାତ୍ରେ ବେଦିରୁ ଉଠି ସିଧା ପହଞ୍ଚିଥିଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ। ରକ୍ତ ଭଣ୍ଡାର ସମ୍ମୁଖରେ ଫୁଲରେ ସାଜସଜ୍ଜା ହୋଇଥିବା ଗାଡ଼ି ଲାଗିବା ଓ ସେଥିରୁ ବର-କନିଅଁା ଓହ୍ଲାଇବା ପରେ ଚକିତ ହୋଇଯାଇଥିଲେ ସେଠାରେ ଉପସ୍ଥିତ ରୋଗୀ, ଡାକ୍ତର, କର୍ମଚାରୀଙ୍କ ସହ ଅନ୍ୟମାନେ। ତେବେ ବର-କନିଅଁାଙ୍କ ନିଷ୍ପତ୍ତି ସମ୍ପର୍କରେ ଶୁଣିବା ପରେ ସମସ୍ତେ ପ୍ରଶଂସା କରିଥିଲେ ଅନୁଗୋଳ ବ୍ଲକ ବାରଗୌଣିଆ ଗ୍ରାମର ବର କୁମୁଦ ସାହୁ ଓ ରାଣୀଗୁଡ଼ାର କନିଅଁା ପଙ୍କଜିନୀ ସାହୁଙ୍କୁ। ଏହାପରେ ନବ ଦମ୍ପତି ସେମାନଙ୍କ ନାମ ପଞ୍ଜୀକରଣ କରିବା ସହ ରକ୍ତଦାନ କରିଥିଲେ। ଏହି ମହତ କାର୍ଯ୍ୟ କରିବା ପରେ ଯାଇ ସେମାନେ ଦାମ୍ପତ୍ୟ ଜୀବନ ଆରମ୍ଭ କରିବାକୁ ପୂର୍ବରୁ ସ୍ଥିର କରିଥିଲେ ବୋଲି କୁମୁଦ ଓ ପଙ୍କଜିନୀ ପ୍ରକାଶ କରିଛନ୍ତି।