ଆଜି ଭାଲେଣ୍ଟାଇନ୍ସ ଡେ’: ପ୍ରଥମ ପସନ୍ଦ ସ୍ପେଶିଆଲ ଚକୋଲେଟ୍‌

ବ୍ରହ୍ମପୁର,୧୪।୨(ତନୁଶ୍ରୀ ନାହାକ): ଗତ ୭ରୁ ଆରମ୍ଭ ହୋଇଛି ପ୍ରେମ ଦିବସ (ଭାଲେଣ୍ଟାଇନ୍ସ ଡେ)। ଖାସ ପ୍ରେମୀଯୁଗଳଙ୍କ ପାଇଁ ମୁଖ୍ୟତଃ ଏହି ଦିବସ ମହତ୍ୱ ରଖୁଥିବାବେଳେ ଏହି ଦିନଟି ସେଣ୍ଟ ଭାଲେଣ୍ଟାଇନଙ୍କ ତ୍ୟାଗକୁ ମନେପକାଇବା ନିମନ୍ତେ ଆରମ୍ଭ ହୋଇଥିବା ଇତିହାସରୁ ଜଣାପଡେ। ତେବେ ଯୁଗ ବଦଳିବା ସହ ଭାଲେଣ୍ଟାଇନରେ ପ୍ରେମ ନିବେଦନର ପରିଭାଷା ମଧ୍ୟ ବଦଳିଛି। ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ପ୍ରେମ ଦିବସର ବିଭିନ୍ନ ଦିନରେ ଗୋଲାପ ଦିବସ, ପ୍ରେମ ନିବେଦନ ଦିବସ, ଆଲିଙ୍ଗନ ଦିବସ, ଚକଲେଟ, ପ୍ରତିଶ୍ରୁତି ଦିବସ, ଚୁମ୍ବନ ଦିବସ,ଟେଡ଼ି ବିୟର ବା ଉପହାର ପ୍ରଦାନ ଦିବସ ଓ ଶେଷରେ ଭାଲେଣ୍ଟାଇନ ବା ପ୍ରେମ ଦିବସ ପାଳିତ ହେଉଛି। ପ୍ରେମୀଯୁଗଳମାନେ ପ୍ରତ୍ୟେକ ଦିନ ଗୋଲାପ ଫୁଲଠାରୁ ଆରମ୍ଭ କରି ଗୋଲାପ ଫୁଲତୋଡ଼ା, ସୁନ୍ଦର ସୁନ୍ଦର ଉପହାର, ପ୍ରତିଶ୍ରୁତି ବାର୍ତ୍ତା ଲିଖିତ ପତ୍ର, ଚକଲେଟ ଆଦି ପାର୍କ, ବେଳାଭୂମି, ହୋଟେଲ ଭଳି ସ୍ଥାନରେ ପରସ୍ପରକୁ ଉପହାର ଦେଇ ନିଜ ଅନ୍ତରର ଆବେଗ ଓ ଭାବନା ପ୍ରକାଶ କରନ୍ତି। ଏହିପରି ସମୟରେ ସିଜନାଲ ଷ୍ଟୋରଗୁଡ଼ିକରେ ମଧ୍ୟ ବ୍ୟବସାୟୀମାନେ ଭଲ ଦୁଇ ପଇସା ରୋଜଗାର କରନ୍ତି। ତେବେ ସୋସିଆଲ ମିଡିଆ ଆସିବା ପରେ ଫୁଲ ବ୍ୟବସାୟ ମାନ୍ଦା ହେଉଥିବା ପୁରୁଣା ବସଷ୍ଟାଣ୍ଡ ଓ ସୁବାରାଓ ଛକସ୍ଥିତ ଫୁଲ ବ୍ୟବସାୟୀ ମାନେ କହିଛନ୍ତି। ବ୍ୟବସାୟୀ ବିଭୁତି ପାଳ କହିଛନ୍ତି ଯେ, ପୂର୍ବରୁ ଭାଲେଣ୍ଟାଇନ ସପ୍ତାହରେ ଲକ୍ଷାଧିକ ଟଙ୍କା ଫୁଲ ଆମଦାନୀ ହେଉଥିଲା। କିନ୍ତୁ ଚଳିତ ବର୍ଷ ମାତ୍ର ୪୦ରୁ ୫୦ ହଜାର ଟଙ୍କାର ଫୁଲ ଆମଦାନୀ ହୋଇଛି। କେବଳ ସରସ୍ବତୀ ପୂଜା ହିଁ ଭରସା । ପୁରାତନ ସିଜନାଲ ଷ୍ଟୋର ବ୍ୟବସାୟୀ ରଞ୍ଜନା ମିଶ୍ର କହିଛନ୍ତି ଯେ,ଚଳିତ ବର୍ଷ ମାର୍କେଟରେ ବିଭିନ୍ନ ଡ଼ିଜାଇନର ଭାଲେଣ୍ଟାଇନ କାର୍ଡ଼ ଉପଲବ୍ଧ ହେଉଛି। ୫୦ରୁ ଆରମ୍ଭ କରି ୧୫୦୦ଟଙ୍କା ପର୍ଯ୍ୟନ୍ତ କାର୍ଡ଼ ମଗାଯାଇଥିଲେ ସୁଦ୍ଧା ଗ୍ରାହକଙ୍କ ଦେଖାନାହିଁ। କେବଳ କେଡ଼ବରୀ ଡ଼େରୀମିଲ୍କର ଭାଲେଣ୍ଟାଇନ ସ୍ପେଶିଆଲ ଚକୋଲେଟ୍‌ର ଚାହିଦା ରହିଛି, ଯାହାର ମୂଲ୍ୟ ୩୦୦ରୁ ୪୦୦ ଟଙ୍କା ରହିଥିବା ବ୍ୟବସାୟୀମାନେ କହିଛନ୍ତି।