ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ; ସକାଳ ୧୦ରୁ ହେବ ନାମାଙ୍କନ ଦାଖଲ

ଭୁବନେଶ୍ୱର,୭।୪(ବ୍ୟୁରୋ): ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ପାଇଁ ଗୁରୁବାର ନିର୍ବାଚନ ହେବ। ଏଥିସହିତ କଟକ ମହାନଗର ନିଗମର ଡେପୁଟି ମେୟର ପଦ ପାଇଁ ମଧ୍ୟ ଭୋଟ ହେବ। ୧୦୫ ପୌରାଞ୍ଚଳରେ ୫୮ଟି ଏନଏସି ଓ ୪୭ଟି ମ୍ୟୁନିସିପାଲିଟି ଥିବା ବେଳେ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ହେବ। ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ଯାଞ୍ଚ ଓ ୧ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ। ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ଭୋଟଦାନ ହେବ। ତେବେ ଦଳବଦଳ ନିରୋଧ ଆଇନ ଲାଗୁ ହୋଇଥିବାରୁ ଭୋଟ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟରମାନେ ଏଜେଣ୍ଟମାନଙ୍କୁ ନିଜ ଭୋଟ ଦେଖାଇବେ।

ପ୍ରକାଶ ଯେ, ଉଭୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଆଶାତୀତ ସଫଳତା ପରେ ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ଦଖଲ କରିବାକୁ ବିଜେଡି ଲକ୍ଷ୍ୟ ରଖିଛି। ରାଜ୍ୟର ୧୫ଟି ପୌର ପରିଷଦରେ ଦଳର ସଂଖ୍ୟା ଗରିଷ୍ଠତା ନାହିଁ। ତଥାପି ଉପାଧ୍ୟକ୍ଷ ପଦ ହାତେଇବାକୁ ବିଜେଡିକଳ ବଳ କୌଶଳ ଲଗାଇ ଦେଇଥିବା କୁହାଯାଉଛି।