ଆଜି ବିଜେଡିର ଚାଉଳ, ଭାଜପାର ମମିତା ପ୍ରସଙ୍ଗ ନେଇ ଆନ୍ଦୋଳନ

ଭୁବନେଶ୍ୱର, ୮।୨(ବ୍ୟୁରୋ):  ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରର ଓଡ଼ିଶା ତଥା କୃଷକ ବିରୋଧୀ ମନୋଭାବ ଜାରି ରହିଛି। କେନ୍ଦ୍ରୀୟ ଅବହେଳାର ସର୍ବଶେଷତମ ଉଦାହରଣ ହେଉଛି ଓଡ଼ିଶାରୁ ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ସରକାର ରୋକ୍‌ଠୋକ୍‌ ମନା କରିବା। ଏହାଦ୍ୱାରା ଓଡ଼ିଶାର କୋଟି କୋଟି କୃଷକ ଦୁଃଖ ଓ ଅନଟନରେ ପଡ଼ିଥିବା ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ କହିଛନ୍ତି। ଏହି ପ୍ରସଙ୍ଗରେ ବିଜେଡି ମଙ୍ଗଳବାର ଧାରଣା ଦେବ ବୋଲି ସୂଚନା ଦେଇଛି। ଅନ୍ୟପଟେ ବିଜେଡିର ଚାଉଳ ପ୍ରସଙ୍ଗକୁ ସାମ୍ନା କରିବାକୁ ଭାଜପା ପୁଣିଥରେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ମଙ୍ଗଳବାର ନବୀନ ନିବାସ ଘେରାଉ ଚେତାବନୀ ଦେଇଛି। ତେଣୁ ବିଜେଡିର ଚାଉଳ ଏବଂ ଭାଜପାର ମମିତା ମେହେର ପ୍ରସଙ୍ଗକୁ ନେଇ ରାଜଧାନୀରେ ଉଭୟ ଦଳର କର୍ମୀ ପରସ୍ପର ସମ୍ମୁଖୀନ ହେବେ।
ବିଜେଡି କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଶ୍ରୀମୟୀ କହିଛନ୍ତି ଯେ, ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଯୋଗାଣ କ୍ଷେତ୍ରରେ ଓଡ଼ିଶା ୩ୟ ବୃହତ୍ତମ ଯୋଗଦାନକାରୀ ରାଜ୍ୟ। ଓଡ଼ିଶା ୯୫ ପ୍ରତିଶତ ଉଷୁନା ଚାଉଳ ଉତ୍ପାଦନ କରିଥାଏ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓଡ଼ିଶାରେ ବଳକା ଚାଉଳକୁ ଉଠାଇବା କେନ୍ଦ୍ରର କର୍ତ୍ତବ୍ୟ, ରାଜ୍ୟର ନୁହେଁ। ଓଡ଼ିଶାର କୃଷକଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର କେନ୍ଦ୍ର ତରଫରୁ ଚାଉଳ ଖରିଦ କରିଥାନ୍ତି। କିନ୍ତୁ ବର୍ତ୍ତମାନ ବଳକା ଚାଉଳ ନ ଉଠାଇବାକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିବା ରାଜ୍ୟର ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ଆକ୍ରମଣ ସଦୃଶ ହୋଇଛି। ଏହା ବିରୋଧରେ ମଙ୍ଗଳବାର ଏଫ୍‌ସିଆଇ ଦପ୍ତର ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା ଦିଆଯିବ ବୋଲି ସୂଚନା ଦେଇଛନ୍ତି। ସୁଲତା କହିଛନ୍ତି, ଭାଜପା ଏମ୍‌ପିମାନେ ଚାଷୀଙ୍କ ପାଖକୁ ଯାଇ କେବଳ ନିର୍ବାଚନ ସମୟରେ ଭୋଟ୍‌ ମାଗିଥାନ୍ତି। ସେମାନେ କୃଷକଙ୍କ କଲ୍ୟାଣ ବିଷୟରେ ନୁହେଁ, ନିଜର ଭୋଟ କଥା ଚିନ୍ତା କରିଥାନ୍ତି।