ଶ୍ରୀଜୀଉଙ୍କ ବନକଲାଗି ନୀତି; ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ଅଫିସ,୨୭।୧୦: ଦୀର୍ଘଦିନର ବ୍ୟବଧାନ ପରେ ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ସେବା । ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଦତ୍ତମହାପାତ୍ର ସେବକମାନେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିବେ। ଏହା ପାରମ୍ପରିକ ନୀତିରେ ଅନୁଷ୍ଠିତ ହେବ । ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କର୍ପୂର, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ମୁଖ ଶୃଙ୍ଗାର କରାଯାଇଥାଏ । ଏହି ଶୃଙ୍ଗାରକୁ ବନକଲାଗି ନୀତି କୁହାଯାଏ ।