Categories: Home Leftଖେଳ

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)କୁ ଭେଟିବ।

ଏହି ମୁକାବିଲାରେ ରାଜସ୍ଥାନର ବ୍ୟାଟିଂ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଓ ଗୁଜରାଟର ଦକ୍ଷ ପେସ ଆଟାକ ମଧ୍ୟରେ ଲଢ଼େଇ ହେବ। ସନରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ଏଲିମିନେଟର ମ୍ୟାଚ୍‌ରେ ବୈଭବ ୨୯ ବଲରେ ୯୭ ରନର ଇନିଂସ ଖେଳି କ୍ରିକେଟ ଜଗତର ସବୁଠୁ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ଅନ୍ୟପକ୍ଷେ ସିରାଜ ଓ କାଗିସୋ ରାବାଡା ପୂରା ଟୁର୍ନାମେଣ୍ଟରେ ଗୁଜରାଟ ପାଇଁ ପ୍ରାରମ୍ଭିକ ସଫଳତା ଆଣିଛନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଗତ ମ୍ୟାଚ୍‌ରେ ମହମ୍ମଦ ସିରାଜ ଏକ ଶର୍ଟ ବଲ ଜରିଆରେ ସୂର୍ଯ୍ୟବଂଶୀଙ୍କୁ ଆଉଟ୍‌ କରିଥିଲେ। ୧୫ ବର୍ଷୀୟ ବ୍ୟାଟର ଚଳିତ ଟୁର୍ନାମେଣ୍ଟରେ ଅନେକ ଥର ଶର୍ଟ ବଲର ଶିକାର ହୋଇଛନ୍ତି। ଏଣୁ ଏହି ଅଞ୍ଚଳରେ ସିରାଜ, ରାବାଡା ଓ ପ୍ରସିଦ୍ଧ କ୍ରିଷ୍ଣା ଟାର୍ଗେଟ କରିପାରନ୍ତି।

ଦଳ ବର୍ତ୍ତମାନ ମୁଖ୍ୟତଃ ସୂର୍ଯ୍ୟବଂଶୀ ଓ ଜୋଫ୍ରା ଆର୍ଚ୍ଚରଙ୍କ ଉପରେ ନିର୍ଭରଶୀଳ। ଉଭୟ ଏକ୍ସ-ଫାକ୍ଟର ଖେଳାଳି ଏଲିମିନେଟର ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଯଶସ୍ବୀ ଜୟସ୍ବାଲ ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟବଂଶୀଙ୍କ ଆଟାକିଂ ବ୍ୟାଟିଂ ଆଗରେ ଫିକା ପଡ଼ି ଯାଇଛନ୍ତି। ସୂର୍ଯ୍ୟବଂଶୀ ତାଙ୍କ ନାମରେ ଥିବା ଗୋଟିଏ ଆଇପିଏଲ୍‌ ସିଜନରେ ସର୍ବାଧିକ ସଂଖ୍ୟକ ଛକା ମାରିବାର ରେକର୍ଡକୁ ଆହୁରି ବଡ଼ କରିବା ଲକ୍ଷ୍ୟରେ ରହିବେ। ମୁଲାନପୁରର ଫ୍ଲାଟ ପିଚ୍‌ ତାଙ୍କୁ ନିଶ୍ଚିତ ସହଯୋଗ କରିବ ବୋଲି ଆଶା କରାଯାଉଛି। ନଂ.୩ରେ ଧ୍ରୁବ ଜୁରେଲଙ୍କ ପ୍ରଦର୍ଶନ ଖୁବ ଭଲ ରହିଛି। କିନ୍ତୁ ସୂର୍ଯ୍ୟବଂଶୀ ଓ ଜୁରେଲଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟରଙ୍କ ପ୍ରଦର୍ଶନରେ ସ୍ଥିରତା ନାହିଁ। ଦଳକୁ ତା’ର ଫିନିଶିଂ ଦକ୍ଷତା ଉପରେ କାମ କରିବାର ଆବଶ୍ୟକତା ଥିବା ଏଲିମିନେଟର ମ୍ୟାଚ୍‌ ପରେ ଅଧିନାୟକ ରିୟାନ ପରାଗ କହିଥିଲେ।

Share