ଆଜି କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

ଭୁବନେଶ୍ବର, ୨୬ା୭(ବ୍ୟୁରୋ): ନ୍ୟାଶନାଲ୍‌ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଏକାଧିକ ଥର ଜେରା କରାଯାଇସାରିଛି। ଦଳୀୟ ହାଇକମାଣ୍ଡଙ୍କୁ ଇଡିର ଏଭଳି ଜେରା ହେବା କଥାକୁ ବିରୋଧ କରି ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ରାଜ୍ୟବ୍ୟାପୀ ବାରମ୍ବାର ଆନ୍ଦୋଳନ ଚାଲିଛି। ତେବେ ସୋନିଆଙ୍କୁ ପୁଣି ଇଡିରେ ହାଜର ହେବା ନୋଟିସ୍‌କୁ ନେଇ ପିସିସି ପକ୍ଷରୁ ମଙ୍ଗଳବାର କଂଗ୍ରେସ ଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଲାଗି ଡାକରା ଦିଆଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ ଏହି ସତ୍ୟାଗ୍ରହ କରାଯିବ। ଦଳର ବରିଷ୍ଠ ନେତା ଓ କର୍ମୀମାନଙ୍କୁ ଏହି ସତ୍ୟାଗ୍ରହରେ ସାମିଲ ହେବା ଲାଗି ପିସିସି ସଭାପତି ଅନୁରୋଧ କରିଛନ୍ତି।