ନବଯୌବନ ଦର୍ଶନ ଆଜି, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ,୧୪।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁଙ୍କ ଅଣସର ଶେଷ ହୋଇଛି। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ଦଇତାପତି ସେବକମାନେ ଚକା ଅପସାରଣ କରିବା ପରେ ଫିଟିବ ଅଣସର ତାଟି। ଏହାପରେ ନବଯୌବନ ବେଶରେ ଦର୍ଶନ ଦେବେ ଦାରୁବିଗ୍ରହ। ଏଥିସହ ନେତ୍ରୋତ୍ସବ ମଧ୍ୟ ରହିଛି। ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରି ଜ୍ୱରରେ ପଡ଼ିଥିଲେ ଦାରୁଦିଅଁ। ଅଣସର ଘରେ ଚାଲିଥିଲା ଉପଚାର। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତ ସେବା କରିଥିଲେ। ଫୁଲୁରି ତେଲ, ଓଷୁଅ ଲାଗି ସହ ଦଶମୂଳ ମୋଦକ ସେବନ ପରେ ଏବେ ସୁସ୍ଥ ହୋଇଯାଇଛନ୍ତି ଦାରୁବିଗ୍ରହ। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୧୫ରେ ଅଣସର ଘରେ ମହାପ୍ରଭୁଙ୍କ ଆସ୍ଥାନ ଚକା ଅପସାରଣ କରାଯିବ। ଦଶାବତାର ତଥା ପଟିଦିଅଁଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ ଏବଂ ଅବକାଶ ନୀତି ବଢ଼ିବ। ପଟି ଠାକୁର ମଣ୍ଡଣି ଘରକୁ, ଅନ୍ୟ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବା ପରେ ଅପରାହ୍ନ ୨ଟାରେ ଅଣସର ତାଟି ଫିଟିବ। ଅପରାହ୍ନ ସାଢ଼େ ୨ଟାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବ। ପରିମାଣିକ ଦର୍ଶନ ପରେ ଭକ୍ତଙ୍କ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ହେବ। ଅପରାହ୍ନ ସାଢ଼େ ୨ଟାରୁ ପରିମାଣିକ ଦର୍ଶନ ଆରମ୍ଭ ହୋଇ ଗୋଟିଏ ଘଣ୍ଟା ଚାଲିବ। ପରିମାଣିକ ଟିକେଟଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ। ଭିତରକାଠ ନିକଟରେ ସେମାନେ ଦର୍ଶନ କରିବେ। ସେହିପରି ଅପରାହ୍ନ ସାଢ଼େ ୩ରୁ ସାଢ଼େ ୪ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ଭିତରକାଠ ନିକଟରୁ ହେବ। ଏହାପରେ ଆଉ ଦର୍ଶନ ହେବ ନାହିଁ। ତେବେ ସାହାଣମେଲା ଦର୍ଶନ ସରିବା ପରେ ଧୁଆ ହୋଇ ଚୂନପାଣି ପଡ଼ିବ। ଏହାପରେ ସର୍ବାଙ୍ଗ ବନ୍ଦାପନା ହେବ। ଏହି ନୀତି ବଢ଼ିବା ପରେ ନେତ୍ରୋତ୍ସବ ବନ୍ଦାପନା କରାଯିବ। ଏହାସହିତ ଅନ୍ୟାନ୍ୟ ନୀତି ବଢ଼ି ଭୋଗମଣ୍ଡପ ଉଠିବା ପରେ ଦକ୍ଷିଣୀ ଘର ଭୋଗ ହେବ। ରାତି ୨ଟା ୧୦ରେ ସା ଆଳତି ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ସାଧୂପ ପରେ ଭୋର ୪ଟାରେ ବନକଲାଗିକୁ ପ୍ରବେଶ କରିବେ ଦତ୍ତମହାପାତ୍ର ସେବକ। ବୁଧବାର ଉଭାଯାତ୍ରା ଥିବାରୁ ରଥଯାତ୍ରା ପ୍ରସ୍ତୁତି ପାଇଁ ପ୍ରଶାସନକୁ ଅଧିକ ସମୟ ମିଳିବ। ଗୁରୁବାର ରଥଯାତ୍ରା ଅନୁଷ୍ଠିତ ହେବ।

 

Dharitri – Odisha’s No.1 Odia Daily

Share