ଆଜି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଭବାନୀପାଟଣା,୨।୧୦(ସ୍ବ.ପ୍ର.): ସୋମବାର କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଗତ ୨ବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ମା’ଙ୍କ ଛତର ଯାତ୍ରା ହୋଇଥିଲା। ହେଲେ ଚଳିତ ବର୍ଷ ପାର୍ବଣରେ କଟକଣା ନ ଥିବାରୁ ଏହି ଛତର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି।

ଭୋର୍‌ ୫ଟାରୁ ମା’ଙ୍କ ଛତର ଜେନାଖାଳରୁ ବାହାରି ମନ୍ଦିର ଅଭିମୁଖେ ଯିବ। ଯାତ୍ରାକୁ ଶୃଙ୍ଖଳିତ କରିବା ସହ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛତର ଯାତ୍ରା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ, ଅତିରିକ୍ତ ଏସ୍‌ପି, ୮ ଡିଏସ୍‌ପି, ୧୮ ଆଇଆଇସି, ୩୨ ଏସ୍‌ଆଇ, ୫୦ ଏଏସ୍‌ଆଇଙ୍କୁ ମୁତୟନ କରାଯିବ। ସେହିପରି ଯାତ୍ରାରେ ୨୨ଟି ସାଂସ୍କୃତିକ ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷେ କଳାହାଣ୍ଡି ଏସ୍‌ପି ଅଭିଳାଶ ଜି ଶାନ୍ତିଶୃଙ୍ଖଳାର ସହ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ଦର୍ଶନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।