Categories: ଫୁରସତ

ଆଜି ବିଶ୍ୱ ଡାକ ଦିବସ: ଏହିଦିନ ଭାରତରେ ଆରମ୍ଭ ହୋଇଥିଲା ଡାକସେବା

ଆଜି ହେଉଛି ବିଶ୍ୱ ଡାକ ଦିବସ। ଅକ୍ଟୋବର ୯କୁ ସମଗ୍ର ବିଶ୍ୱରେ ଡାକ ଦିବସ ଭାବରେ ପାଳନ କରାଯାଉଛି। ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଡାକ ସେବା ଏବଂ ଡାକ ବିଭାଗ ବିଷୟରେ ଲୋକଙ୍କୁ ଅବଗତ କରାଇବା। ୧୮୭୪ ମସିହାରେ ଆଜିର ଦିନରେ ୨୨ଟି ଦେଶ ସ୍ବିଜରଲ୍ୟାଣ୍ଡର ରାଜଧାନୀ ବର୍ନରେ ୟୁନିଭର୍ସାଲ ଡାକ ୟୁନିଅନ (ୟୁପିୟୁ) ଗଠନ ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଏହା ପରେ ଜାପାନର ଟୋକିଓରେ ଅନୁଷ୍ଠିତ ୧୯୬୯ ସମ୍ମିଳନୀରେ ଅକ୍ଟୋବର ୯କୁ ବିଶ୍ୱ ଡାକ ଦିବସ ଭାବରେ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା।

ଏହିଦିନ ଭାରତରେ ଆରମ୍ଭ ହୋଇଥିଲା ଡାକସେବା:

୧୮୭୬ ଜୁଲାଇ ୧ରେ ଭାରତ ପ୍ରଥମ ଏସୀୟ ଦେଶ ଯିଏକି, ୟୁନିଭର୍ସାଲ ଡାକ ୟୁନିଅନର ସଦସ୍ୟ ହୋଇଥିଲା। ଜନସଂଖ୍ୟା ଏବଂ ଅନ୍ତର୍ଜାତୀୟ ମେଲ୍‌ ଟ୍ରାଫିକ ଆଧାରରେ ଭାରତ ପ୍ରଥମ ବର୍ଗର ସଦସ୍ୟ ରହିଆସିଛି। ୧୮୫୪ ଅକ୍ଟୋବର ୧ରେ ଭାରତ ସରକାର ଡାକ ପାଇଁ ଏକ ବିଭାଗ ପ୍ରତିଷ୍ଠା କରିଥିଲେ।

ଡାକ ନେଟ୍‌ଓ୍ବର୍କରେ ୪ଟି ବର୍ଗର ଡାକ ବିଭାଗ ଅଛି ଯଥା ହେଡ୍‌ ପୋଷ୍ଟ ଅଫିସ, ସବ୍‌ ପୋଷ୍ଟ ଅଫିସ, ଅତିରିକ୍ତ ବିଭାଗୀୟ ସବ୍‌ ପୋଷ୍ଟ ଅଫିସ ଏବଂ ଅତିରିକ୍ତ ବିଭାଗୀୟ ଶାଖା ଡାକଘର। ସମସ୍ତ ଡାକଘର ସମାନ ଡାକ ସେବା ଯୋଗାଏ। ତଥାପି ବିତରଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ଡାକଘର ସହିତ ହୋଇଥାଏ।

ଡାକ ସେବା ହେଉଛି ଯୋଗାଯୋଗର ପୁରାତନ ମାଧ୍ୟମ। ଆଜିର ଏହି ଡିଜିଟାଲ ଯୁଗରେ ଡାକସେବାରୁ ଯଦିଓ ଲୋକେ ଟିକେ ଦୂରେଇ ଯାଇଛନ୍ତି ତଥାପି ଅନେକ କାମ ଏହି ଡାକ ମାଧ୍ୟମରେ କରାଯାଉଛି। ଆଗ କାଳରେ ଲୋକେ ଚିଠି ମାଧ୍ୟମରେ ସମସ୍ତ କାମ କରୁଥିଲେ। ଦୀର୍ଘଦିନରୁ ସବୁଠାରୁ ନିର୍ଭରଯୋଗ୍ୟ ଏବଂ ଶସ୍ତା ମାଧ୍ୟମ ପାଲଟିଛି ଡାକସେବା। ଯୋଗାଯୋଗର ପୁରୁଣା ଉତ୍ସକୁ ମନେ ରଖିବା ପାଇଁ ଏହି ଦିବସ ପାଳନ କରାଯାଉଛି।

ଡିଜିଟାଇଜେଶନ ଯୁଗରେ ବିଶ୍ୱର ଡାକ ବ୍ୟବସ୍ଥା ନିଜକୁ ନୂତନ ବୈଷୟିକ ସେବା ସହିତ ଜଡ଼ିତ କରିଛ। ମେଲ, ପାର୍ଶଲ, ଚିଠି ବିତରଣ ପାଇଁ ଏକ୍ସପ୍ରେସ ସେବା ଆରମ୍ଭ ହୋଇଛି। ଡାକ ବିଭାଗ ମଧ୍ୟ ଆର୍ଥିକ ସେବାକୁ ଆଧୁନିକ ଜ୍ଞାନକୌଶଳ ସହିତ ଯୋଡ଼ିଛି। ବର୍ତ୍ତମାନ ଲୋକେ ଅନଲାଇନ୍‌ ଡାକ କାରବାର ଉପରେ ମଧ୍ୟ ସେମାନଙ୍କର ବିଶ୍ୱାସ ବଢ଼ାଇଛନ୍ତି।

Share