ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ ହେଲେ ରୋଗୀର ଶରୀର ଓ ମନ ପରସ୍ପରଠାରୁ ବିଚ୍ଛିନ୍ନ ହୋଇପଡ଼ିବା ଭଳି ଅବସ୍ଥା ଉପୁଜିଥାଏ। ତେଣୁ ଏହାକୁ ‘ମନ ହଜି ଯାଇଥିବା ରୋଗ’ କୁହାଯାଉଛି। ରୋଗୀଠାରେ ସ୍ମୃତିଶକ୍ତି, ବିଶେଷ ଭାବରେ ସଦ୍ୟ ସ୍ମୃତି ଲୋପ ପାଇଯିବାରୁ ତାହାର ଜୀବନ ଦୁର୍ବିଷହ ହୋଇ ଉଠେ। ଏହି ରୋଗ ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖକୁ ‘ବିଶ୍ୱ ଆଲ୍ଜିମର୍ସ ଦିବସ’ ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ପ୍ରସଙ୍ଗ ରହିଛି- ”ଯେତେ ଶୀଘ୍ର ଜାଣିବେ, ସେତେ ଅଧିକ ପଦକ୍ଷେପ ନେଇପାରିବେ: ଆଲଜିମର୍ସ ରୋଗର ପରୀକ୍ଷା ଓ ନିରାକରଣ ଗୁରୁତ୍ୱପୂର୍ଣ୍ଣ।“ ସୁତରାଂ ଆଲ୍ଜିମର୍ସ ପ୍ରତି ସତର୍କ ରହିବା ନିହାତି ଜରୁରୀ। ପାଶ୍ଚାତ୍ୟ ଅଧିବାସୀଙ୍କ ତୁଳନାରେ ଆମ ଦେଶରେ ଆଲ୍ଜିମର୍ସ ରୋଗୀସଂଖ୍ୟା ଯଥେଷ୍ଟ କମ୍।
ପ୍ରାୟ ୫୦ ବର୍ଷ ବୟସ ପରେ ଆଲ୍ଜିମର୍ସ ରୋଗ ପ୍ରକାଶପାଏ। ରୋଗ ହେଲେ ମସ୍ତିଷ୍କର ସ୍ନାୟୁ କୋଷଗୁଡ଼ିକରେ ବିଟା-ଆମିଲଏଡ୍ ନାମକ ଏକ ପ୍ରୋଟିନ୍ ଖଣ୍ଡମାନ ଜମିଯାଏ। ଏହି ବିଟା-ଆମିଲଏଡ୍ ଜମିବା ଫଳରେ ସ୍ମୃତିହାନି ଜାତ ହେବା ସ୍ବାଭାବିକ। ରୋଗୀ ମସ୍ତିଷ୍କରେ ସ୍ନାୟୁକୋଷମାନ ମରିଯାଆନ୍ତି। ସ୍ନାୟୁକୋଷ-ସ୍ନାୟୁକୋଷ ମଧ୍ୟରେ ଥିବା ସଂଯୋଗ ଛିନ୍ନ ହୋଇଯାଏ। ତେବେ ମସ୍ତିଷ୍କର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସ୍ନାୟୁକୋଷରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ। ହେଲେ ସ୍ନାୟୁକୋଷଗୁଡ଼ିକରେ ଜାତ ଅସ୍ବାଭାବିକତାକୁ ରୋଗୀର ଜିନ୍, ପରିବେଶ ଓ ତାହାର ଜୀବନଶୈଳୀ ପ୍ରଭାବିତ କରିଥାଏ। ପୁଣି ରୋଗୀଭେଦରେ ଏହି ପ୍ରଭାବରେ ଭିନ୍ନତା ପରିଲକ୍ଷିତ ହୋଇଥାଏ।