ଆଜି ପ୍ରଥମ ପର୍ଯ୍ୟାୟ ସମବାୟ ସମିତି ନିର୍ବାଚନ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ପ୍ରାଥମିକ ସମବାୟ ସମିତି(ପ୍ୟାକ୍ସ)ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରବିବାର ଅନୁଷ୍ଠିତ ହେବ। ମୋଟ ୩,୨୫୨ ପ୍ରାଥମିକ ସମବାୟ ସମିତିରୁ ୨,୫୨୧ ସମିତିରେ ବିନା ପ୍ରତିଦ୍ବନ୍ଦ୍ବିତାରେ ସଦସ୍ୟ, ସଦସ୍ୟା ନିର୍ବାଚିତ ହୋଇଛନ୍ତି। ବାକି ୭୩୧ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ହେବ। ୭୩୧ ସମବାୟ ସମିତିରୁ ୨୪୪ଟି ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ଏହି ବୁଥ୍‌ଗୁଡ଼ିକରେ ଶାନ୍ତିଶୃ୍‌ଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ସହ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ସିସିଟିଭି ଲଗାଯାଇଛି। ଜିଲାପାଳ ଏବଂ ଏସ୍‌ପି ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ କରିବେ। ଶାନ୍ତିଶୃଙ୍ଖଳାରେ ନିର୍ବାଚନ କରିବାକୁ ପଦକ୍ଷେପ ନିଆଯାଇଛି। ନିର୍ବାଚନ ପରିଚାଳନା ପାଇଁ ୧୯ ଜଣ ଉପନିବନ୍ଧକ, ୫୮ ଜଣ ସହକାରୀ ନିବନ୍ଧକ ନିୟୋଜିତ ହୋଇଛନ୍ତି। ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ। ମୋଟ ୪ ଲକ୍ଷ ୫୩ ହଜାର ୬୧୦ ଭୋଟର ମତଦାନ କରିବେ। ଭୋଟ ଗ୍ରହଣ ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ସେହିପରି ଆସନ୍ତା ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଦିନର ଭୋଟ ଗ୍ରହଣ ହେବ।