ଆଜି ଜିଲାପରିଷଦ ସଭାପତି ନିର୍ବାଚନ

ଭୁବନେଶ୍ୱର,୧୩।୩(ବ୍ୟୁରୋ)-ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପରେ ରବିବାରଲାପରିଷଦ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ।
ଅପରାହ୍ନ ୧ଟା ୩୦ ମିନିଟରୁ ଅପରାହ୍ନ ୪ଟା ମଧ୍ୟରେ ଭୋଟଗ୍ରହଣ କରାଯିବ । ଏହା ପରେ ଫଳ ପ୍ରକାଶ କରାଯିବ। ତେବେ ପରୋକ୍ଷ ନିର୍ବାଚନରେ ନିୟୋଜିତ ଅଧିକାରୀମାନେ ଗୃହ ବାହାରକୁ ଯାଇ ପାରିବେ ନାହିଁ ବୋଲି କମିଶନ କଟକଣା ଜାରି କରିଛନ୍ତି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବାକୁ କମିଶନ ଏସ୍ ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୩୦ଟି ଯାକ ଜିଲାପରିଷଦ ସଭାପତି ପଦବୀ ବିଜେଡି ନିଜ କବଜାକୁ ନେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଭାଜପା ଓ କଂଗ୍ରେସ ଏହି ନିର୍ବାଚନ ପ୍ରତି ସେତେଟା ଧ୍ୟାନ ଦେଉ ନ ଥିବା ଭଳି ମନେ ହେଉଛି। ଯଦି ବିଜେଡିର କେହି ବିଦ୍ରୋହୀ ପ୍ରାର୍ଥୀ ଉଭା ହୁଅନ୍ତି, ତେବେ ବିରୋଧୀ ଦଳଗୁଡିକ ସେମାନଙ୍କୁ ସମର୍ଥନ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି। ତେବେ ଜିଲା ପରିଷଦ କ୍ଷେତ୍ରରେ ଦଳ ବଦଳ ନିରୋଧ ଆଇନ ଲାଗୁ ହୋଇଥିବାରୁ ଦଳୀୟ ନିଷ୍ପତ୍ତି ବିରୋଧରେ ବିଜେଡିର କୌଣସି ଜିଲାପରିଷଦ ସଦସ୍ୟ ସଭାପତି ପଦ ଲାଗି ଗଣ୍ଡଗୋଳ ସୃଷ୍ଟି କରିବା ସମ୍ଭାବନା କମ।
ମାର୍ଚ୍ଚ ୫ ତାରିଖରୁ ଜିଲାପରିଷଦ ସଭାପତି ପଦବୀ ଲାଗି ମନୋନୟନ ପତ୍ର ଲାଗି ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଯେଉଁ ପ୍ରାର୍ଥୀମାନେ ଏଥିଲାଗି ପ୍ରାର୍ଥୀପତ୍ର ଦାଖଲ କରିଥିବେ ତାହାକୁ ବିଚାରକୁ ନେଇ ନବ ନିର୍ବାଚିତ ଜିଲା ପରିଷଦ ସଦସ୍ୟମାନଙ୍କର ପ୍ରଥମ ବୈଠକ ମାର୍ଚ୍ଚ ୧୩ ତାରିଖରେ ଅନୁଷ୍ଠିତ ହେବ। ଆବଶ୍ୟକ ସ୍ଥଳେ ଭୋଟ ଗ୍ରହଣ କରାଯିବ । ୧୫ ତାରିଖରେ କେଉଁ ଜିଲା ପରିଷଦର କିଏ ସଭାପତି ନିର୍ବାଚିତ ହେଲେ ସେ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ। ମାର୍ଚ୍ଚ ୧୭ ତାରିଖରେ ଜିଲା ପରିଷଦ ଉପସଭାପତି ପଦବୀ ଲାଗି ମନୋନୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଉପସଭାପତି ନିମନ୍ତେ ମାର୍ଚ୍ଚ ୨୫ ତାରିଖରେ ପରୋକ୍ଷ ମତଦାନ ଅନୁଷ୍ଠିତ ହେବ। ଆବଶ୍ୟକ ହେଲେ ଏଥିଲାଗି ୨୫ ତାରିଖରେ ନିର୍ବାଚନ କରାଯାଇ ମାର୍ଚ୍ଚ ୨୮ ତାରିଖରେ ନିର୍ବାଚିତ ଉପସଭାପତିମାନଙ୍କ ନାମ ଘୋଷଣା କରାଯିବ ।