ଆଜି ଏନ୍‌ଆଇଟିର ୨୦ତମ ସମାବର୍ତ୍ତନ ଉତ୍ସବ

ରାଉରକେଲା ଅଫିସ,୪ା୨: ରାଉରକେଲା ସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି) ପରିସରରେ ୨୦ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଏନ୍‌ଆଇଟି ସ୍ଥିତ ସିନେଟ ହଲ ପରିସରରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ସମ୍ମିଳନୀରେ ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ସୂଚନା ଦେଇ କହିଥିଲେ, ସମାବର୍ତ୍ତନ ଉତ୍ସବରେ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ (ସେଲ୍‌)ର ଅଧ୍ୟକ୍ଷା ସୋମା ମଣ୍ଡଳ ମୁଖ୍ୟ ଅତିଥି, ଏମ୍‌ସିଏଲର ଅଧ୍ୟକ୍ଷ ଓମ୍‌ ପ୍ରକାଶ ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଏନ୍‌ଆଇଟିର ୧୭୧୭ ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଖବରଦାତା ସମ୍ମିଳନୀରେ ଏନ୍‌ଆଇଟି ରାଉରକେଲାର ପିପିଆର୍‌ସିର ଅଧ୍ୟକ୍ଷ ପ୍ରଫେସର ହିମାଂଶୁ ଭୂଷଣ ସାହୁ, ରେଜିଷ୍ଟ୍ରାର ପ୍ରଫେସର ରୋହନ ଧୀମାନ, ପିକ୍‌ ସମାବର୍ତ୍ତନ ପ୍ରଫେସର ମହାବୀର ପଣ୍ଡା, ଡିନ୍‌ ଏକାଡେମିକ୍‌ ପ୍ରଫେସର ସୁସ୍ମିତା ମିଶ୍ର, ପ୍ରଫେସର ରାଜୀବ ପଣ୍ଡା, ପ୍ରଫେସର ମନୀଷ ଓକାଡେ ଏବଂ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଚ୍ଚନା ଗୁପ୍ତା ଉପସ୍ଥିତ ଥିଲେ। ପ୍ରଫେସର ଉନି ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।