ଆଜି ଗଣପର୍ବ ନୂଆଁଖାଇ: ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ

ସମ୍ବଲପୁର, ୨୩।୮ (ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ରବିବାର ପାଳିତ ହେବ। ମହାମାରୀ କରୋନା ସତ୍ତ୍ବେ ଗଣପର୍ବ ଲାଗି ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇ ଉଠିଛି । ପରମ୍ପରାନୁସାରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କଠାରେ ପୂର୍ବାହ୍ନ ୯ଟା ୪୫ ମିନିଟରୁ ୯ଟା ୫୦ ମିନିଟ ମଧ୍ୟେ ନବାନ୍ନ ଭୋଗ ଲାଗିବ। ସେହିପରି ନୂଆପଡା ଜିଲା ଟାନୱାଟ କଣା ଭଇଁରା ଓ ସମଲେଇ, ବରଗଡ ଓ ଝାରସୁଗୁଡ଼ା ଜିଲାର ସମଲେଇ,  ସୁନ୍ଦରଗଡ ଜିଲାର ଶିଖରବାସିନୀ ଓ ସମଲେଇ, ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ଇଷ୍ଟଦେବୀ ସୁରେଶ୍ୱରୀ ଓ ବୌଦ୍ଧ ଜିଲାର ଭୈରବୀଙ୍କ ପୀଠରେ ନୂଆଁଖାଇ ସକାଶେ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ନୂଆଁଖାଇ ଲାଗି ଗାଁ ଦାଣ୍ଡ ଉତ୍ସବ ମୁଖରିତ ହୋଇଛି । ନୂଆଁଖାଇ ସ୍ବତନ୍ତ୍ର ହାଟରେ କିଣାବିକା ମଧ୍ୟ ସରିଛି। ଇଷ୍ଟଦେବୀ ସମଲେଇଙ୍କ ପୀଠରେ ଶନିବାର ସିନ୍ଦୂର ନୀତି ସଂପନ୍ନ ହୋଇଛି । ରୀତିନୀତି ଓ ପରମ୍ପରାରେ ୧୧୫ ଦେବୀଦେବା ଓ ଦେବୀ ସମଲେଇଙ୍କଠାରେ ସିନ୍ଦୂର ନୀତି କରାଯାଇଛି । ପାରଦ ମିଶ୍ରିତ ଜଡାତେଲ ଓ ସିନ୍ଦୂରକୁ ମିଶ୍ରଣ କରି ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ ସିନ୍ଦୂର ପ୍ରସ୍ତୁତ କରିଥିଲେ। ସର୍ବପ୍ରଥମେ ଶୀତଳାଦେବୀଙ୍କୁ ସିନ୍ଦୂର ଲାଗି କରାଯାଇଥିଲା। ଘଣ୍ଟ, ଶଙ୍ଖ ସହ ପୂଜକ ଗୌରାଙ୍ଗ ରାୟ, ବିଭୂତି ରାୟ, ପଙ୍କଜ ରାୟ, ଆଲୋକ ଦେବ, ରାଜୁ ସିଂ, ସଚିନ ରାୟ ସିନ୍ଦୂର ଲାଗି ନୀତିରେ ସାମିଲ ଥିଲେ। ଅନ୍ୟପକ୍ଷେ ଇଷ୍ଟଦେବୀ ସମଲେଇଙ୍କ ପ୍ରିୟ ସାରୁ ଶାଗ ଲାଗି ଗୋଧୂଳି ଲଗ୍ନରେ ମୁଖ୍ୟପୂଜକଙ୍କ ଘରେ ସାରୁ ପତ୍ର ପହଞ୍ଚଛି ।