ଆଜି ଜାତୀୟ ହସ୍ତତନ୍ତ ଦିବସ: ଶାଢ଼ିରେ ବ୍ୟବହାର ହେଉଛି ପ୍ରାକୃତିକ ରଙ୍ଗ

ସୋନପୁର,୭।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ପ୍ରାୟ ୨୦ ପ୍ରତିଶତ ଲୋକ ବୁଣାବୁଣି ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ହାତବୁଣା ଲୁଗାର ଚାହିଦାକୁ ଦେଖି ସୁବର୍ଣ୍ଣପୁର ଜିଲାର ବୁଣାକାରମାନେ ଉନ୍ନତ ଡିଜାଇନ୍‌ର ପାଟଶାଢ଼ି ବୁଣୁଛନ୍ତି। ଏଠାକାର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଶାଢିର ଚାହିଦା ଦେଶ ବିଦେଶରେ ରହିଛି। ଜିଲାର ବୁଣାକାରମାନେ ଗତ କିଛି ବର୍ଷ ହେବ ସ୍ବାସ୍ଥ୍ୟ ପାଇଁ ଅନୁକୂଳ ପ୍ରାକୃତିକ ରଙ୍ଗରେ ରଙ୍ଗେଇ ହୋଇଥିବା ସୂତାରେ ଶାଢି ବୁଣିବା ଆରମ୍ଭ କରିଛନ୍ତି। ବୁଣାକାରଙ୍କ ହାତତିଆରି ବମକେଇ, ପାଟ ଓ ସୂତା ବୁଣା ଶାଢ଼ି ବେଶ୍‌ ପ୍ରସିଦ୍ଧ। ଅତି ପୁରାତନ କାଳରେ ବୁଣାକାରମାନେ ପ୍ରକୃତିରୁ ମିଳୁଥିବା ଫଳ, ଫୁଲ, ଗଛର ଛାଲି, ପତ୍ର ଓ ମଞ୍ଜିକୁ ସଂଗ୍ରହ କରି ସେଥିରୁ ସୂତା ରଙ୍ଗ କରୁଥିଲେ। ସେହି ସୂତାରୁ ବସ୍ତ୍ର ପ୍ରସ୍ତୁତ କରୁଥିଲେ। ସମୟକ୍ରମେ ରାସାୟନିକ ରଙ୍ଗର ପ୍ରବେଶ ପରେ ଏଗୁଡିକ ଧୀରେ ଧୀରେ ଲୋପ ପାଇଯାଇଥିଲା। ଆଧୁନିକତାର ଚାକଚକ୍ୟ ଭିତରେ ଏହାର ଚାହିଦା ମଧ୍ୟ କମିଗଲା। ତେବେ ରାସାୟନିକ ରଙ୍ଗ ବ୍ୟବହାର ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ଚର୍ମରୋଗ ହେଉଛି। ରାସାୟନିକ ରଙ୍ଗର ଅପକାରିତା ବିଷୟରେ ଲୋକମାନେ ଊଣାଅଧିକେ ଜାଣିଲେଣି। ତେଣୁ ବାନ୍ଧଶିଳ୍ପୀମାନେ ପୁଣି ପ୍ରକୃତିମୁହାଁ ହେଲେଣି। ବଜାର ଚାହିଦାକୁ ଅନୁଭବ କରି ବୟନଶିଳ୍ପ ବିଭାଗ ପକ୍ଷରୁ ବୀରମହାରାଜପୁର ବ୍ଲକ କେନ୍ଦୁପାଲିସ୍ଥିତ ମା’ ପିତାବଳି ପ୍ରାକୃତିକ ବୁଣାକାର ସଂଘ ଆନୁକୂଲ୍ୟରେ ପାଟସୂତା ଉପରେ ପ୍ରାକୃତିକ ରଙ୍ଗ ତାଲିମ ଦିଆଯାଇଥିଲା। ତାଲିମ ପାଇ ବୁଣାକାରମାନେ ବିଭିନ୍ନ ରଙ୍ଗର ପାଟସୂତା ଦ୍ୱାରା ନିଜ ତନ୍ତଶାଳରେ ଶାଢ଼ି ବୁଣୁଛନ୍ତି। ବର୍ତ୍ତମାନ ବୀରମହାରାଜପୁରର କେନ୍ଦୁପାଲି ଓ ଟାଙ୍ଗରସାହିର ୧୦ରୁ ୧୨ ଗୋଟି ତନ୍ତରେ ପ୍ରାକୃତିକ ରଙ୍ଗ ସୂତାରେ ବୁଣାକାର୍ଯ୍ୟ ହେଉଛି। ଏହାର ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଯାଇଛି। ବଜାର ଚାହିଦା ଦେଖି ଅନ୍ୟ ବୁଣାକାରମାନେ ମଧ୍ୟ ଅନୁକରଣ କରିବେ ବୋଲି ବୟନଶିଳ୍ପ ବିଭାଗ ଆଶା ରଖିଛି। ପ୍ରାକୃତିକ ରଙ୍ଗ ପଦ୍ଧତି ରାସାୟନିକ ରଙ୍ଗଠାରୁ ସମୟସାପେକ୍ଷ। କିନ୍ତୁ ଶରୀର ପାଇଁ ହିତକର। ପ୍ରକୃତିରୁ ମିଳୁଥିବା ରଙ୍ଗ ଯଥା ଗଙ୍ଗଶିଉଳି, ଗେଣ୍ଡୁଫୁଲ, ହରିଡ଼ା, ଅଁଳା ଭଳି ଫୁଲ ଓ ମଞ୍ଜିକୁ ସଂଗ୍ରହକରି ରଙ୍ଗ ବାହାର କରାଯାଉଛି। ମାଷ୍ଟର ଟ୍ରେନର ତଥା ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ମଙ୍ଗୁଳୁ ମେହେର ପାଟସୂତାକୁ କିପରି ରଙ୍ଗ କରିବ ଓ ସେହି ସୂତାରେ ପାଟ ବୁଣାଯିବ ସେ ନେଇ ବୁଣାକାରମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ବୀରମହାରାଜପୁର ବ୍ଲକ ରଥପୁରର ମହିଳା ବୁଣାକାର ପଦ୍ମାବତୀ ମେହେର, ଟାଙ୍ଗରସାହିର ନମିତା ମେହେର ଓ ଯଶୋବନ୍ତୀ ମେହେର କୁହନ୍ତି, ଆମେ କିଛି ମାସ ହେବ ପ୍ରାକୃତିକ ରଙ୍ଗ ଦ୍ୱାରା ରଙ୍ଗ କରାଯାଇଥିବା ସୂତାରେ ଲୁଗା ବୁଣୁଛୁ। ଏହି ଶାଢୀର ଚାହିଦା ଅଧିକ ରହୁଛି।