ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ ୩୯ ବର୍ଷୀୟ ମେସିଙ୍କୁ ଆର୍ଜେଣ୍ଟିନାର ସବୁଠୁ ସଫଳ ଫୁଟବଲର ବିବେଚନା କରାଯାଏ।
କାରଣ ତାଙ୍କ ପ୍ରତିନିଧିତ୍ୱରେ ଆର୍ଜେଣ୍ଟିନା ୨୦୨୨ ବିଶ୍ୱକପ୍ ଟ୍ରଫି ଜିତିବା ସହ ୨୦୧୪ ଓ ୨୦୨୬ରେ ରନରଅପ୍ ହୋଇଥିଲା। ଏଥିସହିତ ୨୦୨୧ ଓ ୨୦୨୪ରେ ଦଳ କୋପା ଆମେରିକା ଟ୍ରଫି ଓ ୨୦୦୮ରେ ଅଲିମ୍ପିକ୍ ସ୍ବର୍ଣ୍ଣ ଜିତିଥିଲା।
ମେସିଙ୍କ ବିଦାୟୀ ମ୍ୟାଚ୍ରେ ଏମିଲିଆନୋ ମାର୍ଟିନେଜ, କ୍ରିଷ୍ଟିଆନ ରୋମେରୋ, ଏନଜୋ ଫର୍ନାଣ୍ଡେଜ, ଲୌଟାରୋ ମାର୍ଟିନେଜଙ୍କ ଭଳି ପ୍ରତିଷ୍ଠିତ ଷ୍ଟାର ଖେଳାଳି ଖେଳିବେ। ମେସିଙ୍କ ଅନ୍ତର୍ଜାତୀୟ ଅବସର ଯୋଗୁ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ତାଙ୍କ ଅନୁପସ୍ଥିତିରେ ଆର୍ଜେଣ୍ଟିନା ବିଶ୍ୱର ଟପ୍ ଫୁଟବଲ ଦେଶ ମଧ୍ୟରେ ରହିପାରିବ କି। ଡିଏଗୋ ମାରାଡୋନାଙ୍କ ଅବସର ପରେ ଆର୍ଜେଣ୍ଟିନାକୁ ବିଶ୍ୱକପ୍ ଜିତିବା ପାଇଁ ୩୫ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ‘ମେସି ଯାହା ପଛରେ ଛାଡ଼ି ଯାଉଛନ୍ତି, ତାହା ଅତୁଳନୀୟ। ଆମକୁ ଖେଳିବାକୁ ପଡ଼ିବ। କିନ୍ତୁ ଫିଲ୍ଡରେ ମେସିଙ୍କ ଉପସ୍ଥିତିର ଅନୁଭବ ସ୍ବତନ୍ତ୍ର। ଫୁଟବଲ ଫିଲ୍ଡରେ ସେ ଯାହା କରି ଦେଖାଇଛନ୍ତି, ତାହା ମୁଁ କଦାପି ଦେଖି ନାହିଁ’ ବୋଲି ମୁଖ୍ୟ କୋଚ୍ ଲିଓନେଲ ସ୍କାଲୋନି କହିଛନ୍ତି।