ଆଜି ମହାଶିବରାତ୍ରି: ଝଲସୁଛି ଶୈବପୀଠ

କଟକ,୮ା୩(ଶିଳ୍ପା ପ୍ରିୟଦର୍ଶିନୀ): ଶୁକ୍ରବାର ମହାଶିବରାତ୍ରି। ବିଭିନ୍ନ ଶୈବପୀଠରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ଏଥିପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଥିବାବେଳେ ଗୁରୁବାର ସୁଦ୍ଧା ପ୍ରସ୍ତୁତି ଶେଷ ହୋଇଛି। ମନ୍ଦିରଗୁଡିକ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠୁଛି। ବିଶେଷକରି କଟକ ଜିଲାର ଶୈବପୀଠଗୁଡିକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। କେତେକ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯାଇଛି। କଟକ ଯୋବ୍ରାଠାରେ ଥିବା ପାରେଶ୍ୱର ମହାଦେବ ମନ୍ଦିରରେ ରାତି ୨ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜଣାପଡିଛି। କଟକ ସହରର ଅମରେଶ୍ୱର ମନ୍ଦିରରେ ରାତି ୪ଟାରୁ ଦ୍ୱାର ଫିଟାଯାଇ ଠାକୁରଙ୍କ ନୀତିକାନ୍ତି ଓ ମଙ୍ଗଳଆଳତି କରାଯିବ। ଭୋର ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ କରିପାରିବେ। ରାତି ୧୦ଟାରେ ମହାସ୍ନାନ, ହରିହର ଭେଟ ଓ ବଡ଼ସିଂହାର ବେଶ କରାଯିବ। ଭୋର ୪ଟାରେ ମହାଦୀପ ଉଠିବ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିସହ ଅମରେଶ୍ୱର ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ମନ୍ଦିରର ମୁଖ୍ୟ ପୂଜକ ସ୍ବରୂପ ଦାଶ କହିଛନ୍ତି।
କଟକ ଗଡ଼ଗଡିଆଠାରେ ଥିବା ଗଡ଼ଗଡେଶ୍ୱର ମନ୍ଦିରରେ ରାତି ୪ଟା ୨୦ ମିନିଟ୍‌ରେ ଦ୍ୱାର ଫିଟାଯାଇ ଠାକୁରଙ୍କ ନୀତିକାନ୍ତି କରାଯିବ। ପରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିବେ। ହରିହର ଭେଟ ସହ ଅନ୍ୟାନ୍ୟ ନୀତି କରାଯାଇ ରାତି ୧ଟାରେ ମହାଦୀପ ଉଠିବ। ଏଥିସହ ଗଡ଼ଗଡ଼େଶ୍ୱର ମହାଦେବ ହେରିଡେଟାରି ମ୍ୟାନେଜିଂ ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ମନ୍ଦିର ପୂଜକ ବିଶ୍ୱରଞ୍ଜନ ପଣ୍ଡା କହିଛନ୍ତି।
ମହାଶିବରାତ୍ରି ଉପଲକ୍ଷେ କଟକ ଜିଲାର ପୁରାତନ ଶୈବପୀଠ ପରମହଂସନାଥ ମନ୍ଦିରରେ ବହୁସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ସମ୍ଭାବନା ରହିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଭୋର ୩ଟାରୁ ମନ୍ଦିରର ଦ୍ୱାରା ଖୋଲାଯାଇ ଠାକୁରଙ୍କ ବିଭିନ୍ନ ନୀତି ସମ୍ପନ୍ନ ହେବ। ସକାଳ ୭ଟା ୧୫ରୁ ରାତି ୧୨ଟା ପର୍ଯ୍ୟନ୍ତ ଭକ୍ତମାନେ ଠାକୁରଙ୍କ ଦର୍ଶନ କରିପାରିବେ। ଏହାପରେ ଠାକୁରଙ୍କ ଅନ୍ୟାନ୍ୟ ନୀତି କରାଯାଇ ରାତି ୪ଟାରେ ମହାଦୀପ ଉତ୍ସର୍ଗ ହେବ ବୋଲି ମନ୍ଦିରର ମୁଖ୍ୟ ପୂଜକ ତ୍ରିଲୋଚନ ପଣ୍ଡା କହିଛନ୍ତି। ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ମନ୍ଦିର ଟ୍ରଷ୍ଟର ସଦସ୍ୟ ଦୈତାରି ବେହେରା ସୂଚନା ଦେଇଛନ୍ତି।