ଆଜି କୋଣାର୍କ, ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ: ସଜେଇ ହୋଇଛି ଅର୍କକ୍ଷେତ୍ର

କୋଣାର୍କ,୧।୧୨(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ-୨୦୨୨ ଡିସେମ୍ବର ୧ ଗୁରୁବାରଠାରୁ ଆରମ୍ଭ ହେବ। ଏଥିପାଇଁ ଅର୍କକ୍ଷେତ୍ର କୋଣାର୍କ ସହର ଉତ୍ସବ ମୁଖରିତ ହୋଇଥିବାବେଳେ ସମଗ୍ର ଅଞ୍ଚଳ ଏବେ ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛିି। ଚନ୍ଦ୍ରଭାଗାର ସ୍ବର୍ଣ୍ଣିମ ବେଳାଭୂମିରେ ବାଲୁକା କଳା ପାଇଁ ନିର୍ମିତ ଷ୍ଟଲଗୁଡ଼ିକରେ ବାଲୁକା ଶିଳ୍ପୀମାନେ ନିଜ ଷ୍ଟଲରେ କଳା ନିପୁଣତାକୁ ପ୍ରଦର୍ଶନ କରିବେ। ଲକ୍ଷ ଲକ୍ଷ ପର୍ଯ୍ୟଟକ ବେଲାଭୂମିରେ ଉପସ୍ଥିତ ରହି ବାଲୁକା ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହିତ ମନଭରି ଉପଭୋଗ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କୋଣାର୍କସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ୮.୩୦ ପର୍ଯ୍ୟନ୍ତ ଆୟୋଜିତ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭରେ ଓଡ଼ିଶୀ, କଥକ, ମଣିପୁରୀ, ମୋହିନିନାଟ୍ୟମ, ଭାରତନାଟ୍ୟମ ଓ କୁଚିପୁଡ଼ି ନୃତ୍ୟ ପରିବେଷିତ ହେବ। ଏହି ଅବସରରେ ପର୍ଯ୍ୟଟନ ବିଭାଗ ଓ କୋଣାର୍କ ପ୍ରେସ୍‌ କ୍ଲବ ପକ୍ଷରୁ ବୁଧବାର ସାଇକ୍ଲୋଥନ ଆୟୋଜିତ ହେଉଥିବା ବେଳେ ବସନ୍ତମଞ୍ଚରୀ ପାଠାଗାର ପକ୍ଷରୁ ଗୁରୁବାର ସକାଳ ୮ଟାରେ ଗଣଦୌଡ଼ ଆୟୋଜିତ ହେବ। ୨ତାରିଖରେ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ଚନ୍ଦ୍ରଭାଗାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ବେଳାଭୂମି ପଦଯାତ୍ରା, ୪ରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ଏବଂ କୋଣାର୍କ ପୁସ୍ତକ ମେଳା କମିଟି ପକ୍ଷରୁ ୭ମ ବାର୍ଷିକ ପୁସ୍ତକ ମେଳା ସହିତ ୫ଦିନ ବ୍ୟାପୀ ସାହିତ୍ୟ ଆସର, କବିତା ପାଠ ଉତ୍ସବ ଆୟୋଜିତ ହେବ। ପର୍ଯ୍ୟଟନ ବିଭାଗ ପକ୍ଷରୁ କଳାପ୍ରେମୀ ଦର୍ଶକଙ୍କ ନିମନ୍ତେ ଟୁର ପ୍ୟାକେଜ ଓ ସିଜନ ଟିକେଟର ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। କୋଣାର୍କ ହେଲିପ୍ୟାଡରେ ମିନାବଜାର, ଯାତ୍ରା ହେବା ସହ ଅର୍ବାନହାଟ ପରିସରରେ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜିତ ହେବ। ମୁକ୍ତାକାଶ ରଙ୍ଗମଞ୍ଚ ରଙ୍ଗତୂଳୀର ଯାଦୁକରୀ ସ୍ପର୍ଶ ଉତ୍ସବସ୍ଥଳକୁ ମତୁଆଲ କରୁଛି। ଥାନା ଛକଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ, ଚନ୍ଦ୍ରଭାଗା ବଜାର ଏବଂ ବାଲୁକା କଳା ପ୍ରଦର୍ଶନୀ ଅଞ୍ଚଳକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରାଯାଇଛି।