Categories: ଖେଳ

ଆଜି କ୍ରିକେଟ୍‌ ଇତିହାସରେ ଏକ ଖାସ୍‌ ଦିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୫।୧: ଜାନୁୟାରୀ ୫ କ୍ରିକେଟ ଇତିହାସରେ ଅତ୍ୟନ୍ତ ସ୍ବତନ୍ତ୍ର। ୫୨ ବର୍ଷ ପୂର୍ବେ ଆଜି ଅର୍ଥାତ୍‌ ଜାନୁଆରୀ ୧୯୭୧ରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଜିତିଥିଲା।
ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଟସ ଜିତି ବୋଲିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୩୯.୪ ଓଭରରେ ୧୯୦ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଇତିହାସରେ ପ୍ରଥମ ଦିନିକିଆକୁ ଅଷ୍ଟ୍ରେଲିଆ ୫ ଉଇକେଟରେ ଜିତିଥିଲା। ମ୍ୟାଚ୍‌ରେ ୮୨ ରନ୍‌ର ଇନିଂସ ସ୍କୋର କରିଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନ ଏଡ୍ରିଚଙ୍କୁ ଖେଳାଳି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହିପରି ଭାବରେ, ଦିନିକିଆ ଇତିହାସରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇବାରେ ଏଡ୍ରିଚ ଦୁନିଆର ପ୍ରଥମ କ୍ରିକେଟର ହୋଇଥିଲେ।
ପ୍ରଥମ ଦିନିକିଆରେ ଉଭୟ ଦଳ ପାଇଁ ୪୦-୪୦ ଓଭର ସ୍ଥିର ହୋଇଥିଲା। ଗୋଟିଏ ଓଭର ୮ଟି ବଲ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କୌଣସି ବୋଲର ମ୍ୟାଚରେ ୫ ଓଭରରୁ ଅଧିକ ବୋଲିଂ କରିବେ ନାହିଁ ବୋଲି କୁହାଯାଇଥିଲା। ପ୍ରଥମ ଦିନିକିଆ ଦେଖିବା ପାଇଁ ଏମସିଜିରେ ପ୍ରବଳ ଜନସମାଗମ ହୋଇଥିଲା। ପରିସଂଖ୍ୟାନ ଅନୁଯାୟୀ, ୪୬,୦୦୬ ଲୋକ ଏହି ମ୍ୟାଚକୁ ଉପଭୋଗ କରିଥିଲେ। ଏହି ସମୟରେ ପ୍ରାୟ ୩୪ ହଜାର ଡଲାର ସଂଗ୍ରହ କରାଯାଇଥିଲା।

Share