ଆଜିଠୁ ୯ ଦିନ ୪ ୱାର୍ଡ କଣ୍ଟେନ୍‌ମେଣ୍ଟ ଜୋନ୍‌

ପୁରୀ ଅଫିସ, ୨୪। ୭: ପୁରୀ ସହରସ୍ଥ ପେଣ୍ଠକଟା ଅଞ୍ଚଳ ଏବେ ପ୍ରଶାସନର ଚିନ୍ତା ବଢାଇଛି। ଦୁଇଦିନରେ ୨୦ରୁ ଊର୍ଦ୍ଧ୍ୱ ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ଶୁକ୍ରବାରଠାରୁ ୯ ଦିନ ଯାଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଗୁରୁବାର ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, କିଛିଦିନ ହେବ ପୁରୀ ସହରରୁ ଯେତେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ୪୦ ପ୍ରତିଶତ ହେଉଛନ୍ତି ପେଣ୍ଠକଟା ଅଞ୍ଚଳର। ତେଣୁ ଏହି ଅଞ୍ଚଳର୨୫ ନମ୍ବର ୱାର୍ଡ (କିଛି ଅଂଶ) ଏବଂ ୨୬, ୩୧ ଓ ୩୨ ନମ୍ବର ୱାର୍ଡକୁ ସମ୍ପୂର୍ଣ୍ଣ ଭାବେ କଣ୍ଟେନମେଣ୍ଟ ଜୋନ କରାଯାଉଛି। ଶୁକ୍ରବାର ରାତି ୯ଟାରୁ ଆସନ୍ତା ୩ ତାରିଖ ଭୋର ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହାର ପରିସୀମା ୟୁଥ୍‌ ହଷ୍ଟେଲ ଛକରୁ କମଳା ହସ୍ପିଟାଲ ଛକ, ଜୟୀ ରାଜଗୁରୁ ଛକରୁ ରାମ ମନ୍ଦିର ଛକ, ରାମ ମନ୍ଦିର ଛକରୁ ଓଡ଼ିଶା ବେକେରି ଛକ, ଓଡ଼ିଶା ବେକେରି ଛକରୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଛକ, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଛକରୁ ଆଇଟିଆଇ ଛକ, ଆଇଟିଆଇ ଛକରୁ ତାଳବଣିଆ ପମ୍ପ ହାଉସ ଛକ, ପମ୍ପହାଉସ ଛକରୁ ଗଙ୍ଗାମାତା ମନ୍ଦିର ଛକ (ବାଲୁଖଣ୍ଡ ଅଭୟାରଣ୍ୟର ବାଉଣ୍ଡାରିକୁ ଲଗାଇ), ଗଙ୍ଗାମାତା ମନ୍ଦିର ଛକରୁ ପିଙ୍କ ହାଉସ୍‌ ହୋଟେଲ ଛକ (ସମୁଦ୍ର କୂଳକୁ ଲଗାଇ), ପିଙ୍କ୍‌ ହାଉସ୍‌ ହୋଟେଲ ଛକରୁ ସୁନାର ଗୌରାଙ୍ଗ ଛକ ଏବଂ ସେଠାରୁ ୟୁଥ୍‌ ହଷ୍ଟେଲ ଛକ ପର୍ଯ୍ୟନ୍ତ ରହିବ। ସମ୍ପୃକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ। ମ୍ୟୁନିସିପାଲିଟି ଯେଉଁମାନଙ୍କୁ ଅନୁମତି ଦେବ ସମ୍ପୃକ୍ତ ସଂସ୍ଥା କ୍ଷୀର, ପନିପରିବା ଆଦି ଯୋଗାଇବେ। ବିବାହ କିମ୍ବା ଶବଦାହ କର୍ମ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯିବ। ଏହି ଆବଦ୍ଧ ଅଞ୍ଚଳ ମଧ୍ୟରେ ରହୁଥିବା ଲୋକଙ୍କର ଯାହାଠାରେ କିଛି ବି ଲକ୍ଷଣ ଥିବ ସେମାନେ କୋଭିଡ୍‌ କେୟାର ମନିଟରଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।