Categories: ଖେଳ

ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ୍‌ ଚତୁର୍ଥ ମ୍ୟାଚ୍‌

ଲୌଡରହିଲ (ଆମେରିକା), ୧୨।୮: ଲୌଡରହିଲ ସ୍ଥିତି ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ ଷ୍ଟାଡିୟମରେ ଶନିବାର ଭାରତ- ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ୪ର୍ଥ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ଭାରତ ତୃତୀୟ ମ୍ୟାଚ ଜିତିବାରୁ ଓ୍ବେଷ୍ଟଇଣ୍ଡିଜ ୨-୧ରେ ସିରିଜ ଅଗ୍ରଣୀ ରହିଛି। ତେଣୁ ଭାରତ ଚତୁର୍ଥ ମ୍ୟାଚ୍‌ ଜିତି ସିରିଜକୁ ବରାବର ସ୍ଥିତିକୁ ଆଣିବା ଲକ୍ଷ୍ୟରେ ରହିଛି।

ପୂର୍ବ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ତିଳକ ବର୍ମା ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ମାତ୍ର ଭାରତର ଓପନିଂ କ୍ରମାଗତ ବିଫଳ ହୋଇଛି। ଏହା ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି।

ତୃତୀୟ ଟି୨୦ରେ ଇଶାନ କିଶନଙ୍କୁ ବିଶ୍ରାମ ଦିଆଯାଇ ଯଶସ୍ବୀ ଜୟସ୍ବାଲଙ୍କୁ ଡେବ୍ୟୁ ସୁଯୋଗ ମିଳିଥିଲା। ମାତ୍ର ଜୟସ୍ବାଲ ୬ ରନ୍‌ କରି ପ୍ରଥମ ଓଭରରେ ହିଁ ଆଉଟ ହୋଇଥିଲେ। ପ୍ରଥମ ୨ଟି ମ୍ୟାଚରେ କିଶନ ଓ ଶୁବମନ ଗିଲ୍‌ ପ୍ରଥମ ଉଇକେଟରେ ଯଥାକ୍ରମେ ୫ ଓ ୧୬ ରନ୍‌ କରିପାରିଥିଲେ। ଫଳରେ ମିଡିଲ ଅର୍ଡରଙ୍କ ଉପରେ ଚାପ ପଡ଼ିଥିଲା। ଚତୁର୍ଥ ମ୍ୟାଚ ଜିତିବା ନିହାତି ଆବଶ୍ୟକ ଥିବାବେଳେ କିଶନ ଚୂଡ଼ାନ୍ତ ଦଳକୁ ଫେରୁଛନ୍ତି କି ନାହିଁ ତାହା ଦେଖିବାର ବାକି ରହିଛି।

ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ ଷ୍ଟାଡିୟମ ପିଚ୍‌ ସାଧାରଣତଃ ବ୍ୟାଟରଙ୍କୁ ସୁହାଇଥାଏ। ମ୍ୟାଚ ଆଗେଇବା ସହ ଧିମା ହୋଇ ଯାଇଥାଏ। ତେଣୁ ଏଠାରେ ଅନୁଷ୍ଠିତ ୧୩ ମ୍ୟାଚରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୧ଟିରେ ବିଜୟୀ ହୋଇଛି। ଓ୍ବେଷ୍ଟଇଣ୍ଡିଜ ସୁଯୋଗ ଅପେକ୍ଷାରେ ରହିଛି। ୨୦୧୬ ପରେ ପ୍ରଥମଥର ପାଇଁ ଭାରତ ବିପକ୍ଷରେ ସିରିଜ ବିଜୟକୁ ହାତଛଡ଼ା କରିବାକୁ ଚାହୁଁନାହିଁ। ତେଣୁ ମ୍ୟାଚ ସଂଘର୍ଷ ପୂର୍ଣ୍ଣ ହେବ।

Share