ଆଜି ଭଉଁରି, ଚକ-ଅଖ ଡେରା ନୀତି

ପୁରୀ ଅଫିସ,୧୨ା୫: ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରାର ବିଂଶତମ ଦିବସରେ ଶ୍ରୀକ୍ଷେତ୍ର ଭଉଁରି ଅନୁଷ୍ଠିତ ହୋଇଥାଏ। ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ରଥଖଳାରେ ପରମ୍ପରା ମୁତାବକ ତିନିରଥର ପ୍ରତ୍ୟେକ ଦୁଇଟି ଚକ ସହ ଗୋଟିଏ ଅଖ ସଂଯୋଗ କରାଯିବ। ଏହାକୁ ଚକଅଖ ଡେରା ନୀତି କୁହାଯାଏ। ଏଥିପାଇଁ ବିଶ୍ୱକର୍ମା ମହାରଣାମାନେ ୬ଟି ଚକ ଓ ତିନୋଟି ଅଖ ପ୍ରସ୍ତୁତ କରି ରଖିଛନ୍ତି। ଶୁକ୍ରବାର ଶ୍ରୀମନ୍ଦିରରେ ସକାଳ ଧୂପ ବଢିବା ପରେ ତିନିବାଡ଼ର ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିବେ। ଆଜ୍ଞାମାଳ ପ୍ରଦାନ ପରେ ସେଠାରେ ଭୋଇ ସେବକମାନେ ଚକଅଖ ଡେରା କାର୍ଯ୍ୟ ସମ୍ପନ୍ନ କରି ପ୍ରଥମ ହରିବୋଲ ପକାଇବେ। ସେହିପରି ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରୀ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ପାଲିଙ୍କି ଓ ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବେ। ଦିନ ଚାପ ସରିବା ପରେ ଠାକୁରମାନେ ଚକଡ଼ା ପରିସରରେ ଥିବା ଚନ୍ଦନ କୁଣ୍ଡକୁ ବିଜେ ହେବେ। ପରେ ବେଶ ହୋଇ ଭୋଗ ମଣୋହି ହେବେ। ବିଡିଆ ମଣୋହୀ ହୋଇ ଠାକୁରମାନେ ଭଉଁରୀ ଯାତ୍ରା କରିବା ପାଇଁ ଚାପକୁ ବିଜେ କରିବେ। ପୁଷ୍କରିଣୀର ସମସ୍ତ କୋଣ ଓ ଦୀପିଦାଣ୍ଡି ନିକଟରେ ଚାପଡଙ୍ଗା ୨୧ ଘେରା ଲେଖାଏ ବୁଲିବ।