ଆଜି ଶ୍ରୀମନ୍ଦିରରେ ୫ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ, ୨୦ା୩:ଚୈତ୍ର ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପାଦନ କରିବେ। ଏହା ଏକ ଗୁପ୍ତନୀତି। ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ତେଣୁ ସୋମବାର ଅପରାହ୍ନ ୫ଟାରୁ ରାତିି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସହ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ପରେ ମଇଲମ ନୀତି ସାରି ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଏହାପରେ ଶ୍ରୀଦେବୀ, ଭୂଦେବୀ ଖଟଶେଯ ଘରକୁ ବିଜେ କରିବେ। ସେହିପରି ଖସାପଡ଼ା ନୀତି ନିମନ୍ତେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଖସାପଡ଼ା ନୀତି ସାରି ଦଇତାପତିମାନେ ଶ୍ରୀମନ୍ଦିରରୁ ବାହାରିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ବଢ଼ିବ। ପରେ ମହାପ୍ରଭୁଙ୍କ ମଇଲମ ବେଶ ସନ୍ଧ୍ୟା ଆଳତୀ ବଢି ଅନ୍ୟାନ୍ୟ ନୀତି ସହ ରାତ୍ର ପହୁଡ଼ ସମ୍ପନ୍ନ କରାଯିବ। ଖସାପଡ଼ା ହେଉଛି ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ରବିବାର ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଛନ୍ତି। ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇଦେଇଛନ୍ତି। ଏହି ଧଳାକନା, ଖଳି ଓ କଇଁଥ ଅଠାକୁ ବ୍ୟବହାର କରି ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତନୀତି ସମ୍ପାଦନ କରିବେ।