ଅନ୍ତର୍ଜାତୀୟ ଡାକ୍ତରୀ ପତ୍ରିକା ‘ଦ ଲାନ୍ସେଟ୍’ରେ ସଦ୍ୟ ପ୍ରକାଶିତ ଏକ ଗବେଷଣାତ୍ମକ ତଥ୍ୟରୁ ଜଣାପଡ଼ିଛି ଯେ, ଭାରତରେ ୧୯୯୦ରୁ ୨୦୨୩ ମଧ୍ୟରେ କ୍ୟାନସର ବା କର୍କଟ ରୋଗୀଙ୍କ ସଂଖ୍ୟା ୨୬ ପ୍ରତିଶତ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ କ୍ୟାନସରଜନିତ ମୃତ୍ୟୁହାର ୨୧ ପ୍ରତିଶତ ବଢ଼ିଛି। ତୁଳନାତ୍ମକ ଭାବେ ଦେଖିଲେ କର୍କଟ ରୋଗୀ ଓ ତତ୍ଜନିତ ମୃତ୍ୟୁ ଆମେରିକା ଓ ଚାଇନାରେ ଗତ ୩୩ ବର୍ଷ ମଧ୍ୟରେ ଯଥେଷ୍ଟ କମିଛି। ଲାନ୍ସେଟ୍ ଦର୍ଶାଇଛି ଯେ, ଚାଇନାରେ କର୍କଟ ରୋଗୀଙ୍କ ସଂଖ୍ୟା ଏହି ଅବଧି ମଧ୍ୟରେ ୧୯ ପ୍ରତିଶତ କମ୍ ହୋଇଥିବା ବେଳେ ଆମେରିକାରେ ୨୦ ପ୍ରତିଶତ ହ୍ରାସ ଘଟିଛି। ଏହାସହ ଚାଇନାରେ କ୍ୟାନ୍ସରଜନିତ ମୃତ୍ୟୁ ୪୩ ପ୍ରତିଶତ ଓ ଆମେରିକାରେ ଏହା ୩୩ ପ୍ରତିଶତ ହ୍ରାସ ପାଇଛି। ଲାନ୍ସେଟ୍ର ଭାରତ ସମ୍ବନ୍ଧୀୟ ଉପରଲିଖିତ ତଥ୍ୟ ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଚାଇନା ଓ ଆମେରିକାରେ କ୍ୟାନସର ରୋଗୀଙ୍କ ସଂଖ୍ୟା କମିବା ପଛରେ ରହିଛି ଦୃଢ଼ ତମାଖୁ ନିୟନ୍ତ୍ରଣ ବ୍ୟବସ୍ଥା। ହେଲେ ଭାରତରେ ବ୍ୟାପକ ତମାଖୁ ବ୍ୟବହାର, ମୋଟାପଣ ଏବଂ ପ୍ରାରମ୍ଭିକ ରୋଗ ଚିହ୍ନଟରେ ବିଳମ୍ବ ଯୋଗୁ କର୍କଟ ରୋଗୀ ଓ ସେହି ସମ୍ବନ୍ଧୀୟ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି।
ତମାଖୁ ବୋଇଲେ ଧୂଆଁପତ୍ର, ବିଡି, ସିଗାରେଟ୍, ଗୁଡ଼ାଖୁ ଓ ଏବେ ବିଭିନ୍ନ ପ୍ୟାକେଟରେ ମିଳୁଥିବା ନିଶାଦ୍ରବ୍ୟକୁ ବୁଝାଇଥାଏ। ସେବନ କରୁଥିବା ବ୍ୟକ୍ତି ମନକୁ ଫୁର୍ତ୍ତି ରଖିବା ପାଇଁ ଏସବୁ ବ୍ୟବହାର କରୁଥିବା କହିଥାଆନ୍ତି। ତମାଖୁ ଅଭ୍ୟାସରେ ପଡ଼ିଯାଇଥିବା ଲୋକ ନିଜର, ପରିବାର ଓ ଆଖପାଖର କ୍ଷତି ଘଟାଇଥାଆନ୍ତି । ତମାଖୁ ସେବନକାରୀ ଓ ଏହାକୁ ଚାଷ ବା ପ୍ରସ୍ତୁତ କରୁଥିବା ଲୋକ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଆନ୍ତି। ଚାଇନା ପରେ ଭାରତ ତମାଖୁ ବ୍ୟବହାର କରିବାରେ ଦ୍ୱିତୀୟ ବୃହତ୍ ଦେଶ। ୨୦୧୬-୧୭ ତଥ୍ୟ ଅନୁଯାୟୀ ଭାରତରେ ପାଖାପଖି ୨୬ କୋଟି ଲୋକ ତମାଖୁ ସେବନ କରୁଛନ୍ତି। ସମ୍ଭବତଃ ଦୀର୍ଘ ବର୍ଷ ଧରି ଭାରତରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରକାଶ ପାଇ ନ ଥିବାରୁ ଏହି ସଂଖ୍ୟା ନିଶ୍ଚିତ ବୃଦ୍ଧି ପାଇଥିବ ବୋଲି କୁହାଯାଇପାରେ; ଯାହା ଲାନ୍ସେଟ୍ ତଥ୍ୟ ନିଶ୍ଚିତ କରୁଛି। ଏହାସହ ତମାଖୁ ଶିଳ୍ପରେ ଜଡ଼ିତ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସ୍ବାସ୍ଥ୍ୟଗତ ବିପଦର ସମ୍ମୁଖୀନ ହେଉଛନ୍ତି। କେବଳ ମଣିଷର ସ୍ବାସ୍ଥ୍ୟ ନୁହେଁ, ବରଂ ପରିବେଶ ଉପରେ ଏହାର ଗଭୀର ପ୍ରଭାବ ପଡ଼ୁଛି। ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ତମାଖୁ ଚାଷ ମାଟିର ଉପଯୋଗୀ ତତ୍ତ୍ୱକୁ ନଷ୍ଟ କରିବାରେ ଲାଗିଛି। କାରଣ ଏହି ଚାଷ ପାଇଁ ପ୍ରଚୁର ରାସାୟନିକ ସାରର ଆବଶ୍ୟକତା ରହିଛି। ଏଥିସହିତ ଏକ କେଜି ତମାଖୁ ପ୍ରସ୍ତୁତି ସକାଶେ ୫.୪ କେଜି ଜାଳେଣି କାଠ ଆବଶ୍ୟକତା ପଡ଼ୁଥିବାରୁ ଏହା ଜଙ୍ଗଲ କ୍ଷୟର ଅନ୍ୟତମ କାରଣ ବୋଲି କୁହାଗଲାଣି। କେବଳ ଏତିକି ନୁହେଁ, ତମାଖୁ ଉତ୍ପାଦନ ଓ ଏହାର ବ୍ୟବହାର ଭାରତରେ ପ୍ରତିବର୍ଷ ପାଖାପାଖି ୧ ଲକ୍ଷ ୭୦ ହଜାର ଟନ୍ ବର୍ଜ୍ୟ ସୃଷ୍ଟି କରୁଛି। ତେଣୁ ରୋଗ ହେଉ ବା ବର୍ଜ୍ୟ ପରିଚାଳନାଜନିତ ଖର୍ଚ୍ଚ ଅର୍ଥନୀତି ଉପରେ ବଡ଼ ବୋଝ ପାଲଟୁଛି।
ତମାଖୁ ନିୟନ୍ତ୍ରଣ ଦିଗରେ ଆମେରିକା ଓ ଚାଇନା ଆଗରେ ଅଛନ୍ତି। ଏଠାରେ ବିଶେଷକରି ଚାଇନାକୁ ଦେଖିଲେ ସେଠାକାର କଠୋର କଟକଣା ତମାଖୁ ସେବନକୁ ନିୟନ୍ତ୍ରଣ କରିବାରେ ବହୁଳାଂଶରେ ସହାୟକ ହୋଇଛି। ତମାଖୁ ସାମଗ୍ରୀ ଉପରେ ଅତ୍ୟଧିକ ଟିକସ ଲଗାଯିବା ସହ ସର୍ବସାଧାରଣ ସ୍ଥାନ, ସାଧାରଣ ପରିବହନରେ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ନିର୍ଦ୍ଦିଷ୍ଟ ବୟସ ବର୍ଗ ଏହାକୁ ସେବନ କଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ‘ସୁସ୍ଥ ଚାଇନା ୨୦୩୦’ ଅଭିଯାନରେ ତମାଖୁ ନିୟନ୍ତ୍ରଣ ଏକ ଅଂଶବିଶେଷ ପାଲଟିଛି ଏବଂ ଏଥିରେ ଶତ ପ୍ରତିଶତ ଧୂମପାନ ମୁକ୍ତ ପରିବେଶ ଗଢ଼ିବାକୁ ଚାଇନା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଭାରତରେ ଏ ଦିଗରେ କଡ଼ା ନିୟମ ଥିଲେ ମଧ୍ୟ ବ୍ୟବହାରକାରୀ ଓ ଆଇନ ଅନୁପାଳନକାରୀ ଉଭୟେ ଢିଲା ମାରୁଛନ୍ତି। ସ୍କୁଲ ଓ କଲେଜ ପରିସରର ୧୦୦ ଗଜ ପରିଧି ଭିତରେ ଧୂମପାନ ବିକ୍ରି ନିଷେଧ ଥିଲେ ମଧ୍ୟ କେହି ମାନୁନାହାନ୍ତି। ଫଳରେ ସ୍କୁଲ ପିଲା ଓ ଯୁବବର୍ଗ ନିଶା ଯନ୍ତାରେ ପଡ଼ିଯାଉଛନ୍ତି। ନିକଟରେ କେନ୍ଦ୍ର ସରକାର ନିଶା ଓ ମାଦକଦ୍ରବ୍ୟ ଉପରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ହାରକୁ ବଢ଼ାଇଛନ୍ତି। ଅନେକାଂଶରେ ଏହା ବ୍ୟବହାରକାରୀଙ୍କୁ ନିରୁତ୍ସାହିତ କରିବ ବୋଲି ଆଶା ରହୁଛି। କିନ୍ତୁ ଏହା ନିର୍ଭର କରେ ନାଗରିକ ବା ଉପଭୋକ୍ତାମାନେ କେତେ ସଚେତନ ହେଉଛନ୍ତି। ଲାନ୍ସେଟ ତଥ୍ୟକୁ ତର୍ଜମା କଲେ ଭାରତରେ ଆଉ ଯେଉଁ ଦିଗଟି ଅଣଦେଖା ହୋଇ ରହିଯାଉଛି ତାହା ହେଲା କର୍କଟ ରୋଗର ପ୍ରାଥମିକ ନିରୂପଣରେ ବିଳମ୍ବ ଘଟିବା। ଏଥିପାଇଁ ଏଠାରେ ଏ ସମ୍ବନ୍ଧରେ ଗବେଷଣା ଓ ବିକାଶ (ଆର୍ଆଣ୍ଡ୍ଡି)କୁ ବିଶେଷ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ବିଶାଳ ଜନସଂଖ୍ୟାବିଶିଷ୍ଟ ଭାରତରେ ତମାଖୁ ଯନ୍ତାରୁ ମୁକୁଳିବା ପାଇଁ ସବୁ ସ୍ତରରେ ଏକ ସମ୍ମିଳିତ ଉଦ୍ୟମ ହେବା ଦରକାର।


