ଦୁଇ ଆଜୀବନଙ୍କୁ ଜେଲରୁ ମିଳିଲା ମୁକ୍ତି

କେନ୍ଦୁଝର,(ସ୍ବ.ପ୍ର.): କେନ୍ଦୁଝର ଜେଲରୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭଗୁଥିବା ଦୁଇ ଜଣ କଏଦୀଙ୍କୁ ଶୁକ୍ରବାର ମୁକ୍ତ କରାଯାଇଛି। ସେମାନେ ହେଲେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ମଣିପୁର ଗ୍ରାମର ଦନାଦର ବେହେରା ଓ ବଡବିଲ ଥାନା ଅନ୍ତର୍ଗତ ଉତ୍ତମ ସିଂହ ହାଟିଁର ଲିଟୁ ର୍ସିକା । ଦଣ୍ଡ ସୁରକ୍ଷା ବୋର୍ଡଙ୍କ ସମୀକ୍ଷା ପରେ ଗୃହ ଓ ଆଇନ ବିଭାଗ ପକ୍ଷରୁ ଜେଲ ମୁକ୍ତ ପାଇଁ ରାଜ୍ୟ ପାଳଙ୍କୁ ସୁପାରିସ କରାଯାଇଥିଲା। ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ତାଙ୍କୁ ଆଜି ଖଲାସ କରାଯାଇଥିବା ଜେଲ ପକ୍ଷରୁ ସୁଚନା ମିଳିଛି। ତେବେ ଦନାଦର ୧୯୯୬ ମସିହା ଅଗଷ୍ଟ ୧୦ ତାରିଖ ରେ ଏକ ହତ୍ୟା ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ୧୯୯୮ ମସିହାରେ ଦୋଷ ପ୍ରମାଣିତ ହେବାରୁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।
ସେହିପରି ୧୯ ଫେବୃୟାରୀ ୧୯୯୬ ମସିହାରେ ଲିଟୁ ଏକ ହତ୍ୟା ମାମଲା ରେ ଗିରଫ ହୋଇ ଜେଲ ହାଜତରେ ଥିଲେ। ଅଗଷ୍ଟ ୪, ୨୦୦୦ ରେ ଦୋଷ ପ୍ରମାଣିତ ହେବାରୁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଦୁଇ ଜଣ ଜେଲରେ କାଠ ମିସ୍ତ୍ରୀ ଓ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ। ଜେଲ ସଂସ୍କାର କାର୍ଯ୍ୟକ୍ରମରେ ସେମାନଙ୍କ ଭଲ ବ୍ୟବହାର ଓ ସେମାନଙ୍କ ଚାରିତ୍ରିକ ପରିବର୍ତ୍ତନକୁ ଦେଖି ଜେଲ ମୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।