ଅସନ୍ତୁଷ୍ଟଙ୍କୁ ମନାଇବାକୁ ଗୋଟିଏ ଦିନ

ଭୁବନେଶ୍ୱର, ୧୨।୩ (ବ୍ୟୁରୋ): ମହାନଗର ନିର୍ବାଚନ ଜିତିବା ପାଇଁ ଦଳୀୟ ତଥା ସ୍ବାଧୀନ ପ୍ରାର୍ଥୀମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। କେମିତି ପ୍ରଚାର କରିବେ, ଭୋଟରଙ୍କୁ ମନାଇବା ପାଇଁ କେଉଁ ପ୍ରସଙ୍ଗ ଉଠାଇବେ ସେନେଇ ରଣନୀତି ଚାଲିଛି। ମାତ୍ର ବିଜେଡି ଦଳରେ ଅବସ୍ଥା ଟିକେ ଭିନ୍ନ। ନିର୍ବାଚନ ପ୍ରଚାର ପରେ, ଆଗ କିଭଳି ବିଦ୍ରୋହୀଙ୍କୁ ମନାଇବେ ସେନେଇ ନେତା, ବିଧାୟକ ସମସ୍ତଙ୍କର ଚିନ୍ତା। ୧୪ ତାରିଖ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ଦିନ। ବିଦ୍ରୋହୀଙ୍କୁ ମନାଇବାକୁ ହାତରେ ମାତ୍ର ଆଉ ଗୋଟିଏ ଦିନ ସମୟ। ରବିବାର ସୁଦ୍ଧା ସେମାନଙ୍କୁ ମନାଇ ନ ପାରିଲେ ଦଳ ପାଇଁ ବିଦ୍ରୋହୀମାନେ ବଡ଼ କଣ୍ଟା ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏପଟେ ବିରୋଧୀଙ୍କ ଆଗରେ ଦଳର ଏକତା ଏବଂ ସଂଖ୍ୟାଗରିଷ୍ଠତାକୁ ନେଇ ଫୁଟାଣି ମାରୁଥିବା ନେତାମାନେ ଏବେ ଅକଳରେ ପଡ଼ିଛନ୍ତି। ଟିକେଟ ପାଇବାକୁ ନେଇ ନାମାଙ୍କନ ଦାଖଲ ପରଠାରୁ ଦଳରେ ଥିବା ବିଦ୍ରୋହୀମାନେ ମୁଣ୍ଡ ଟେକିଛନ୍ତି। ଅନେକ ଆଶାୟୀ ଏପରିକି ଦଳର ପଦବୀରେ ଥିବା ଏବଂ ପୂର୍ବତନ କର୍ପୋରେଟରମାନେ ମଧ୍ୟ ସ୍ବାଧୀନ ପ୍ରାର୍ଥୀଭାବେ ମଇଦାନକୁ ଓହ୍ଲାଇଛନ୍ତି। ଦଳର ଅନେକ ଟାଣୁଆ ନେତାଙ୍କ ଏଭଳି ଖୋଲାଖୋଲି ବିଦ୍ରୋହ ଦଳ ପାଇଁ ବିପଦ ଆଣିପାରେ। ଦଳରେ ଥିବା କନ୍ଦଳ ଏବେ ପଦାକୁ ଆସିଲାଣି। ତେଣୁ ସେମାନଙ୍କୁ କିପରି ବୁଝାଇ ନିର୍ବାଚନରୁ ଓହରାଯିବ ସେଥିପାଇଁ ଚେଷ୍ଟା କରାଯାଉଛି। କାହାକୁ ବୁଝାଯାଉଛି ତ ଆଉ କାହା ଉପରେ ଚାପ ପକାଯାଉଛି। ଏପରିକି ଦଳରୁ ନିଲମ୍ବନ ଭଳି ଦୃଢ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ଚେତାବନୀ ଦିଆଯାଉଛି। ଦେଖିବାକୁ ଗଲେ ଦଳ ଏଥିରେ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଛି। ଯାହାର ଫଳସ୍ବରୁପ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ପ୍ରଥମ ଦିନରେ ୮ଜଣ ପ୍ରାର୍ଥୀ ନିର୍ବାଚନରୁ ଓହରି ଯାଇଛନ୍ତି। ଶନିବାର ଓ ରବିବାର ଛୁଟି ଥିବାରୁ ଏହି ଦୁଇଦିନ କୌଣସି ପ୍ରାର୍ଥୀ ନିଜର ନାମାଙ୍କନ ପ୍ରତ୍ୟାହାର କରିପାରିବେ ନାହିଁ। ତେଣୁ ସୋମବାର ହିଁ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ହେବ ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।