ଘର ଦଖଲକୁ କେନ୍ଦ୍ର କରି ତୁମୁଳକାଣ୍ଡ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ଏନ୍‌-୩ରେ ଏକ ଘର ଦଖଲକୁ କେନ୍ଦ୍ର କରି ମଙ୍ଗଳବାର ସନ୍ଧ୍ୟାରେ ତୁମୁଳକାଣ୍ଡ ଘଟିଛି। ଜଣେ ବିଧାୟକଙ୍କ ସମ୍ପର୍କୀୟ ଘର କିଣିବାପରେ ସେଠାରେ ରହୁଥିବା ଭଡ଼ାଟିଆ ଘର ଖାଲି ନ କରିବାରୁ ଉଭୟଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ପକ୍ଷଙ୍କ ଅଭିଯୋଗ ପରେ ପୋଲିସ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ଏପରି କି ଏହି ଘଟଣା ସମ୍ପର୍କରେ ଖବର ପାଇ ଡିସିପି ଉମାଶଙ୍କର ଦାସ ଥାନାରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିବା ସହ ଉଭୟ ପକ୍ଷର ୧୪ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଉକ୍ତ ଘରେ ରହୁଥିବା ଭଡ଼ାଟିଆଙ୍କ ଅଭିଯୋଗ ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ଜିପ୍‌ ଓ ବାଇକ୍‌ରେ ୧୦ ରୁ ୨୦ ଯୁବକ ଆସି ଲୁହା ଛଡ଼ ଓ କାଠ ଫାଳିଆରେ ତାଙ୍କ ଟିଭି ସହ ଅନ୍ୟ ଆସବାବପତ୍ର ପିଟି ଭାଙ୍ଗି ଦେଇଥିଲେ। ଏହାକୁ ପ୍ରତିବାଦ କରିବାରୁ ବିଧାୟକଙ୍କ ସମ୍ପର୍କୀୟ ଓ ଅନ୍ୟମାନେ ତାଙ୍କୁ ଧମକ ଦେଇଥିଲେ। ଅପରପକ୍ଷରେ ବିଧାୟକଙ୍କ ସମ୍ପର୍କୀୟାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ବାମୀ ନୟାପଲ୍ଲୀରେ ଥିବା ଏକ ଘରକୁ କିଣିଛନ୍ତି। ଏନେଇ ମାସେ ତଳେ ଟଙ୍କା ଦେଣନେଣ ମଧ୍ୟ ସରିଛି। ଉକ୍ତ ଘରେ ପୂର୍ବରୁ ରହୁଥିବା ଭଡ଼ାଟିଆଙ୍କୁ ୭ ଦିନ ମଧ୍ୟରେ ଘର ଖାଲି କରିବାକୁ କୁହାଯାଇଥିଲା। ହେଲେ ସେ ଘର ଛାଡ଼ି ନ ଥିଲେ। ଏପରି କି ଘରର ଇଣ୍ଟେରିୟର ଡେକୋରେଟର ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବାରୁ ଘର ଖାଲି କରିବାକୁ ମନା କରି ଦେଇଥିଲେ। ଇଣ୍ଟେରିୟର ବାବଦରେ ଖର୍ଚ୍ଚ କରିଥିବା ଟଙ୍କା ଫେରାଇଲେ ଘର ଖାଲି କରିବେ ବୋଲି କହିଥିଲେ। ଯାହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମଙ୍ଗଳବାର ବଚସା ହୋଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଘର ବିକ୍ରି ଓ କିଣିଥିବା ଏବଂ ଭଡ଼ାରେ ରହିଥିବା ଲୋକ ପ୍ରଭାବଶାଳୀ ହୋଇଥିବାରୁ ଏହାର ସମାଧାନ ନିମନ୍ତେ ଖୋଦ୍‌ ଡିସିପି ଥାନାରେ ବିଳମ୍ବିତ ରାତିରେ ୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚେଷ୍ଟା ଚଳାଇଥିବା ଜଣାପଡ଼ିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଉଭୟ ପକ୍ଷର ୧୪ଜଣ ଥାନାରେ ଅଟକ ଥିବାବେଳେ କୌଣସି ମାମଲା ରୁଜୁ ହୋଇନାହିଁ ବୋଲି ପୋଲିସ ସୂଚନା ଦେଇଛି।