ନନ୍ଦନକାନନକୁ ଆସିଲା ତାମରିନ, ଗୁଣ୍ଡୁଚି ମାଙ୍କଡ଼

ବାରଙ୍ଗ,୧ା୯(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଗୁରୁବାର ହାଇଦ୍ରାବାଦରୁ ହଳେ ଗୋଲଡେନ ହ୍ୟାଣ୍ଡ ତାମରିନ ଓ ହଳେ ଗୁଣ୍ଡୁଚିମାଙ୍କଡ କ୍ରୟ କରି ନନ୍ଦନକାନନ କର୍ତ୍ତୃପକ୍ଷ ଆଣିଛନ୍ତି। ଫଳରେ ନନ୍ଦନକାନନ ତାଲିକାରେ ପଶୁପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେଲେଙ୍ଗାନାର ଜନ ଗ୍ରୋଭ ଆଣ୍ଡ୍‌ ଫାର୍ମ ଏହି ନୂତନ ଅତିଥିଙ୍କୁ ଆଣି ନନ୍ଦନକାନନରେ ପ୍ରଦାନ କରିଛି। ଏହି ନୂଆ ଅତିଥି ନନ୍ଦନକାନନକୁ ଆସିବାପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଆସିଥିବା ୪ଜଣ ଅତିଥିଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ଡାକ୍ତରମାନଙ୍କ ନଜରବନ୍ଦିରେ ୧ମାସ ପର୍ଯ୍ୟନ୍ତ ସେମାନଙ୍କ ଉପରେ ତିକ୍ଷଣ ନଜର ରଖାଯିବାର ଯୋଜନା କରାଯାଇଛି।
ଚଳିତବର୍ଷ ନନ୍ଦନକାନନ ଦ୍ୱାରା ସମୁଦାୟ ୨୪ ବିଦେଶୀ ପ୍ରଜାତିର ପଶୁପକ୍ଷୀ ଅଣାଯିବାକୁ ଯୋଜନା କରାଯାଇଛି। ଏହାଦ୍ୱାରା ନନ୍ଦନକାନନରେ ନୂଆ ପ୍ରଜାତି ସୃଷ୍ଟି କରାଯାଇପାରିବ। ଏହାସହ ଏକୁଟିଆରହି ନିଃସଙ୍ଗ ଜୀବନ ଜିଉଥିବା ସାଥିହରାଙ୍କୁ ସେମାନଙ୍କ ସାଥି ମିଳିଯିବା ସହ ନୂଆ ରକ୍ତସର୍ମ୍ପକର ବଂଶବୃଦ୍ଧି ହୋଇପାରିବ। ତେବେ ଏହି ବିଦେଶାଗତ ପଶୁପକ୍ଷୀଙ୍କୁ କ୍ରୟ କରାଯାଇ ଆଣିବାପାଇଁ ନନ୍ଦନକାନନ ସୋସାଇଟିର ସାଧାରଣ ବୈଠକରେ ନିଷ୍ପତ୍ତିି ହୋଇଛି ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ସନତ କୁମାର ନାରାୟଣ କହିଛନ୍ତି । ନୂଆ କରିଆସିବାକୁ ଥିବା ବିଦେଶାଗତ ପ୍ରଜାତି ମଧ୍ୟରେ କାସୁୱାରୀ, ଅଷ୍ଟିଚ, ହଳଦିପିଠିଆଲୋରୀ, ଇଗୁଆନା, ସାଧାରଣ ମାର୍ମୋସେଟ, ଟୁଫ୍ଟେଡ ମାର୍ମୋସେଟ, ର୍ମିକାଟ, ଅମ୍ବ୍ରେଲା କକାଟୋ, ଲେସର ସଲଫର୍‌ କ୍ରେଷ୍ଟେଡ କକାଟୋ, ବାରଭିକପୋତ, ଷ୍ଟାରଫ୍ରିନ୍ଚ, ସୁନେଲି କପୋତ, ଲମ୍ବାଲାଞ୍ଜ ରଫ୍ରିନ୍ଚ ରିଙ୍ଗନେକେଡ ପିଜାଣ୍ଟ, ବ୍ଲାକକ୍ରାଉନକ୍ରେନ, ଭାଉଲେଟ ଟୁରାକୋ, ବେଙ୍ଗାଲିସଫ୍ରନ୍ଚ, ସବୁଜ ଡେଣାମାକାଓ.ଜିରାଫ, ଲିଭିଙ୍ଗଷ୍ଟୋନ ଟୁରାକୋ, ନାଲିପିଠିଆୱାଲାବି ରହିଥିବାର ସୂଚନା ମିଳିିଛି।