ବିଶ୍ୱସ୍ତରୀୟ ଚିଡ଼ିଆଖାନା ସ୍ଵପ୍ନ

ଲିଙ୍ଗରାଜ ରାଉତ
ବାରଙ୍ଗ,୪।୬(ଡି.ଏନ୍‌.ଏ.): ଦେଶର ପ୍ରମୁଖ ଚିଡ଼ିଆଖାନା ମଧ୍ୟରେ ନନ୍ଦନକାନନ ଅନ୍ୟତମ। ହେଲେ ବିଗତ କିଛି ବର୍ଷ ମଧ୍ୟରେ ନାନା ପ୍ରସଙ୍ଗକୁ ନେଇ ଏହି ପ୍ରାଣୀ ଉଦ୍ୟାନ ବିବାଦ ଘେରକୁ ଆସିଛି। ଗୋଟିଏ ପରେ ଗୋଟିଏ ଜୀବଜନ୍ତୁଙ୍କ ମୃତ୍ୟୁଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କୁ ଆକ୍ରମଣ, ସଫାରିରେ ଚୁକ୍ତି ଖିଲାପ କରି ବସ୍‌ ଚଳାଇବା, ବୋଟିଂରେ କ୍ଷମତାଠାରୁ ଅଧିକ ନେବା, ଛୋଟପିଲାଙ୍କୁ ବୋଟିଂ କରିବାରେ ସୁଯୋଗ ଦେବା, ଜଳହସ୍ତୀ ଶରୀରରେ ସିରିଞ୍ଜ ରହିଯିବା, ଜଳହସ୍ତୀ ଏନ୍‌କ୍ଲୋଜରରେ କୁମ୍ଭୀର ଦେଖାଯିବା, ସାପ କାମୁଡ଼ାରେ ସିଂହୀ ମରିବା ଆଦି ବିଭିନ୍ନ ଘଟଣା ଯୋଗୁ ନନ୍ଦନକାନନ ଚର୍ଚ୍ଚିତ ହୋଇଛି। ଯେଉଁଭଳି ପଶୁପକ୍ଷୀଙ୍କ ମୃତ୍ୟୁହାର ବଢିଚାଲିଛି ଏଥିରେ ଲଗାମ ନ ରହିଲେ ନନ୍ଦନକାନନ ତା’ର ପୂର୍ବ ମର୍ଯ୍ୟାଦା ହରାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ବଡ଼ କଥା ହେଲା ନନ୍ଦନକାନନରେ ପଶୁ ଚିକିତ୍ସକଙ୍କ ସଂଖ୍ୟା କମ୍‌ ନ ଥିବା ସତ୍ତ୍ୱେ ପଶୁପକ୍ଷୀଙ୍କ ମୃତ୍ୟୁହାରରେ ଲଗାମ ଲାଗୁ ନାହିଁ। ତେବେ ଏହାକୁ ନେଇ କିଏ ଡାକ୍ତରଙ୍କୁ ଦୋଷାରୋପ କରୁଥିବାବେଳେ କିଏ ପ୍ରାଣୀ ବିଭାଗୀୟ ରେଞ୍ଜରଙ୍କ ଦାୟିତ୍ୱହୀନତା କହୁଛି ତ ଅନ୍ୟ କେତେଜଣ କର୍ତ୍ତୃପକ୍ଷଙ୍କ ଖାମଖିଆଲ ଯୋଗୁ ଏପରି ଘଟୁଥିବା କହୁଛନ୍ତି। ତେଣୁ ଏବେଠାରୁ କର୍ତ୍ତୃପକ୍ଷ ଯଦି ସଜାଗ ନ ରହିବେ ତେବେ ବିଶ୍ୱସ୍ତରୀୟ ଚିଡ଼ିଆଖାନା ପାଇଁ ହେଉଥିବା ଯୋଜନାରେ ବାଧକ ସାଜିପାରେ ବୋଲି ଆଲୋଚନା ହେଉଛି।
ଯେ, ଗତ କିଛିମାସ ମଧ୍ୟରେ ବାଘ, ସିଂହ, ଭାଲୁ, ନୀଳଗାଈ, ଇଗୁଆନା, ଶମ୍ବର, ଜଳହସ୍ତୀ, ଗୟଳ, ଗାଡଭାଲୁ, ଚିତ୍ରହରିଣ, କୃଷ୍ଣସାରମୃଗ, କୁଟୁରା, ବଜ୍ରକାପ୍ତା, ଷ୍ଟମ୍ପଟେଲ ମାଙ୍କଡ, ମଣିପୁରହରିଣ, ମୟୂର, ଚନ୍ଦନବୋଡା, ୩ଲକ୍ଷ୍ମୀ ପେଚା, କୃଷ୍ନସାର ମୃଗ ଭଳି ଭଲ ଭଲ ପ୍ରଜାତିର ପଶୁପକ୍ଷୀଙ୍କର ମୃତ୍ୟୁ ହୋଇସାରିଛି। ଏବେବି ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ପଶୁପକ୍ଷୀ ବିଭିନ୍ନ ଏନକ୍ଲୋଜରରେ ଅସୁସ୍ଥ ରହି ନନ୍ଦନକାନନ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେଉଛନ୍ତି। ତେବେ ଜାନୁୟାରୀରେ ୯ଟି, ଫେବୃୟାରୀରେ ୫, ମାର୍ଚ୍ଚରେ ୫, ଏପ୍ରିଲରେ ୯ ଏବଂ ମେ ମାସ ୧୪ ମୋଟରେ ଇତି ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ପଶୁପକ୍ଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ଯେ, ନିଜେ ନନ୍ଦନକାନନ ଉପନିର୍ଦ୍ଦେଶକ ଡା.ସଞ୍ଜିତ କୁମାର ପ୍ରାଣୀ ଚିକିତ୍ସକ, ଜନ୍ତୁ ବିଭାଗ ରେଞ୍ଜର ଡା.ସୁଦୀପ୍ତ ପଣ୍ଡା, ଜନ୍ତୁ ବିଭାଗ ଏସିଏଫ୍‌ ଡା.ରଶ୍ମିରଞ୍ଜନ ସ୍ବାଇଁ ହେଉଛନ୍ତି ପ୍ରାଣୀ ଚିକିତ୍ସକ। ସେହିଭଳି ପ୍ରାଣୀ ଚିକିତ୍ସାଳୟରେ ଜଣେ ବିଶେଷଜ୍ଞ ସମେତ ୪ଜଣ ପଶୁ ଚିକିତ୍ସକ ଅଛନ୍ତି। ଏହାସତ୍ତ୍ୱେ ନନ୍ଦନକାନନରେ ପଶୁପକ୍ଷୀଙ୍କ ମୃତ୍ୟୁହାର କମିବାର ନଁା ଧରୁନାହିଁ।