ବ୍ୟାଗ୍‌ କିଣିବାକୁ ଆସି ଲୁଟିନେଲେ ନଗଦ ଟଙ୍କା ସହ ଅଳଙ୍କାର

ସୋରଡା,୧୧।୦୬: ଗଞ୍ଜାମ ଜିଲା ସୋରଡା ବଡଦାଣ୍ଡରେ ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଘରେ ବନ୍ଧୁକ ଦେଖାଇ କିଛି ଦୁର୍ବୃତ୍ତ ଲୁଟ୍‌ କରିଥିବା ଜଣାପଡିଛି। ରବିବାର ସକାଳୁ ବନ୍ଧୁକ ଦେଖାଇ ସେମାନେ ସୁନା,ରୁପା, ଏବଂ ନଗଦ ଟଙ୍କା ନେଇଯାଇଛନ୍ତି। ସୂଚନାଯୋଗ୍ୟ, ଗ୍ରୋସରୀ ଦୋକାନ ଓ ବାସଘର ଥିବା ଦୀନବନ୍ଧୁଙ୍କ ଦୋକାନକୁ ସକାଳ ୬ଟାରେ ୩ଜଣ ଯୁବକ ଆସି ପ୍ରଥମେ କବାଟ ବାଡେଇଥିଲେ। ଦୀନବନ୍ଧୁ କବାଟ ଖୋଲିବାରୁ ବ୍ୟାଗ୍‌ କିଣିବାକୁ କହିଥିଲେ। ଦୀନବନ୍ଧୁଙ୍କ ସାନ ପୁଅ ବ୍ରଜସୁନ୍ଦର ବ୍ୟାଗ୍‌ ଦେଖାଇବାକୁ ଉଦ୍ୟତ ହେଉଥିବା ବେଳେ ଯୁବକମାନେ ତାଙ୍କୁ ବନ୍ଧୁକ ଦେଖାଇଥିଲେ। ବନ୍ଧୁକ ଦେଖାଇ ତାଙ୍କୁ କାବୁ କରିବା ପରେ ଘର ଭିତର ଗଡରେଜ, ଆଲମିରାରେ ଥିବା ସମସ୍ତ ସୁନା ଅଳଙ୍କାର, ନଗଦ ଟଙ୍କା, ଦୀନବନ୍ଧୁଙ୍କ ସ୍ତ୍ରୀଙ୍କ ବେକରୁ, କାନରୁ ସବୁ ଅଳଙ୍କାର କାଢି ନେଇଥିଲେ । ଲୁଟ୍‌ ସାମଗ୍ରୀ ନଗଦ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଓ ସୁନା ୫୦ ଲକ୍ଷରୁ ଅଧିକ ହେବ ବୋଲି ବଡପୁଅ ବ୍ରଜସୁନ୍ଦୀ କହିଛନ୍ତି। ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ଘର ଭିତରେ କାରନାମା ଚାଲିଥିବା ବେଳେ ବାହାରେ କେହି ଜାଣିପାରି ନ ଥିଲେ । ଖବର ପାଇ ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି । ୩ଜଣ ଯୁବକ ମୁହଁରେ ମାସ୍କ ଓ ହେଲମେଟ ପିନ୍ଧିଥିବାବେଳେ ଗୋଟିଏ ବାଇକ୍‌ରେ ଆସିଥିଲେ ବୋଲି ଦୀନବନ୍ଧୁ କହିଛନ୍ତି।