କୋଲକାତା,୫ା୫: ୫ କୋଟି ଟଙ୍କା ନ ଦେବାରୁ ହାଓ୍ବରାର ଶିବପୁର ନିର୍ବାଚନ ମଣ୍ଡଳୀରୁ ମୋତେ ତୃଣମୂଳ କଂଗ୍ରେସ (ଟିଏମ୍ସି) ଟିକେଟ ଦେବାକୁ ମନା କରିଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଭାରତର ପୂର୍ବତନ କ୍ରିକେଟର ତଥା ବିଦାୟୀ ବିଧାୟକ ମନୋଜ ତିଓ୍ବାରୀ ମଙ୍ଗଳବାର ଦଳ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ୪୦ ବର୍ଷୀୟ ପୂର୍ବତନ କ୍ରିକେଟର ବେଙ୍ଗଲ କ୍ରିକେଟ ଇତିହାସରେ ସର୍ବାଧିକ ୧୦,୧୯୫ ଫାଷ୍ଟ-କ୍ଲାସ ରନ କରିବା ସହ ମମତା ବାନାର୍ଜିଙ୍କ ନେତୃତ୍ୱାଧୀନ ସରକାରରେ କ୍ରୀଡ଼ା ମନ୍ତ୍ରୀ ଥିଲେ।
ପରାଜୟକୁ ନେଇ ମୁଁ ଚକିତ ନୁହେଁ। ପୂରା ଦଳ ଦୁର୍ନୀତି ଗ୍ରସ୍ତ ରହିବା ସହ କୌଣସି କ୍ଷେତ୍ରରେ ଉନ୍ନତି ହେଉ ନ ଥିବାରୁ ଏଭଳି ପରାଜୟ ନିଶ୍ଚିତ ଥିଲା। ମୋଟା ଟଙ୍କା ଦେଇପାରୁଥିବା ଲୋକଙ୍କୁ ହିଁ ଟିକେଟ ଦିଆଯାଉଥିଲା। ଅତିକମ୍ରେ ଚଳିତ ୭୦ରୁ ୭୨ ପାର୍ଥତ୍ ଟିକେଟ ପାଇଁ ୫ କୋଟି ଟଙ୍କା ଦେଇଛନ୍ତି। ମୋତେ ବି ମଗାଯାଇଥିଲା। କିନ୍ତୁ ମୁଁ ମନା କରିଥିଲି। ଯେଉଁମାନେ ଟଙ୍କା ଦେଇ ଟିକେଟ ନେଇଥିଲେ, ସେମାନଙ୍କ ମଧ୍ୟରୁ କେତେ ଜଣ ଜିତିଲେ, ତାହା ଦେଖୁଛି। ମୋ ପାଇଁ ଟିଏମ୍ସି ଅଧ୍ୟାୟ ଶେଷ ହୋଇଯାଇଛି ବୋଲି ତିଓ୍ବାରୀ ଏକ ସାକ୍ଷାତକାରରେ କହିଛନ୍ତି।